ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମରେ ଆରମ୍ଭ ହେବ ସମୂହ ଔଷଧ ସେବନ ପର୍ଯ୍ୟାୟ

ଏହି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରାଯିବ: ମନ୍ତ୍ରୀ ଶ୍ରୀ ଦାସ

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୧୭ଟି ଜିଲ୍ଲାରେ ଲସିକା ଫାଇଲେରିଆର ପର୍ଯ୍ୟାୟ କ୍ରମେ ମୂଳୋତ୍ପାଟନ ପାଇଁ ଏକ ସମୂହ ଔଷଧ ସେବନ ପର୍ଯ୍ୟାୟ ଆରମ୍ଭ କରିବ । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗ୍ଲୋବାଲ ହେଲଥ୍‌ ଷ୍ଟ୍ରାଟେଜି ସହିତ ମିଳିତ ଆନୁକୂଲ୍ୟରେ ଏକ ଭର୍ଚୁଆଲ୍‌ ଗଣମାଧ୍ୟମ ସମ୍ବେଦୀକରଣ କର୍ମଶାଳା ଆୟୋଜନ କରାଯାଇଥିଲା । ଲସିକା ଫାଇଲେରିଆ ଦ୍ୱାରା ସୃଷ୍ଟି ହେଉଥିବା ଶକ୍ତିହୀନତା ସଂପର୍କିତ ସୂଚନା ପ୍ରସାରଣକୁ ନିଶ୍ଚିତ କରିବା ଏହି ଭର୍ଚୁଆଲ୍‌ କର୍ମଶାଳାର ଲକ୍ଷ୍ୟ ଥିଲା । ଯହାଦ୍ୱାରା ଜନସାଧାରଣ ଏହି ମାରାତ୍ମକ ରୋଗ ସଂପର୍କରେ ସଠିକ ସୂଚନା ପାଇପାରିବେ । କର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଜନସାଧାରଣଙ୍କୁ ଏହି ଔଷଧ ସେବନ କରିବା ସହ ଫାଇଲେରିଆର ମୂଳୋତ୍ପାଟନ ପାଇଁ ସେମାନଙ୍କ ସହଯୋଗ କାମନା କରିଥିଲେ ।


କର୍ମଶାଳା ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଭେକଫର ବର୍ଣ୍ଣ ଡିଜିଜ୍‌ର ରାଜ୍ୟ ପ୍ରୋଗ୍ରାମ ଅଫିସର ଡା. ଶୁଭାଶିଷ ମହାନ୍ତି କହିଥିଲେ ‘୨୦୨୧ ସୁଦ୍ଧା ଫାଇଲେରିଆକୁ ମୂଳପୋଛ କରିବା ସକାଶେ ଭାରତର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ତଥା ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ
ପ୍ରୟାସ ନିରନ୍ତର ଜାରି ରଖିବାର ଗୁରୁତ୍ୱକୁ ଉପଲବ୍ଧି କରି ଓଡ଼ିଶା ସରକାର ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ ଅଧୀନରେ ୧୭ଟି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା କୋଭିଡ୍‌-୧୯ ନିୟମାବଳୀ ମୁତାବକ ଏମ୍‌ଡିଏ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବ । ପ୍ରଥମ ପର୍ଯ୍ୟାୟ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ଚଳିତ ମାସ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୨୫ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଫେବୃଆରୀ ୧୦ରୁ ଯେଉଁ ୮ଟି ଜିଲ୍ଲାରେ ଏମ୍‌ଡିଏ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବ ସେଥି ମଧ୍ୟରେ ଭଦ୍ରକ, ବାଲେଶ୍ୱର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, ଖୋର୍ଦ୍ଧା, ନୂଆପଡ଼ା ଏବଂ ନୟାଗଡ଼ ଅନ୍ତର୍ଭୁକ୍ତ । ଦ୍ୱିତୀୟ ପର୍ଯ୍ୟାୟରେ ଏମ୍‌ଡିଏ କାର୍ଯ୍ୟକାରୀ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ଅନୁଗୋଳ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, ସୋନପୁର, ବରଗଡ଼ ଏବଂ ସମ୍ବଲପୁର ।’
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଲେ ଯେ ଫାଇଲେରିଆ ରୋଗ ଏକ ମାରାତ୍ମକ ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ହୋଇଥାଏ ା ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି । ପିଲାଦିନେ ସାଧାରଣତଃ ହେଉଥିବା ଏହି ସଂକ୍ରମଣ ଲିମ୍ପାଟିକ୍‌ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ ଏବଂ ଯଦି ତାହାର ଚିକିତ୍ସା କରାନଯାଏ ତେବେ ତାହା ଶରୀରର ବିଭିନ୍ନ ଅଙ୍ଗରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରେ । ଫାଇଲେରିଆରେ ସଂକ୍ରମିତ ଲୋକ ଅନେକ ସମୟରେ ଇସନ୍‌ଫୁଲିଆ, ଚର୍ମ କୁଣ୍ଡେଇହେବା, ହାଇଡ୍ରୋସିଲ୍‌, ଅଙ୍ଗପ୍ରତ୍ୟଙ୍ଗରେ ଫୁଲା, ଦୁU ଭଳି ଧଳା ପରିସ୍ରାରେ ଆକ୍ରାନ୍ତ ହୋଇଥା’ନ୍ତି । ଫଳରେ ଲସିକା ଫାଇଲେରିଆରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଇଁ ଥିବା ସୁବିଧାସୁଯୋଗ ଏବଂ କାର୍ଯ୍ୟ କରିବାର ସାମର୍ଥ୍ୟ ଆଦି ପ୍ରଭାବିତ ହୋଇଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ସ୍ତରରେ ଘୃଣିତ ହୋଇଥା’ନ୍ତି । ଗୋଦରଗୋଡ଼ ବା ଫାଇଲେରିଆର କୌଣସି ଚିକିତ୍ସା ଉପଲବ୍ଧ ନାହିଁ, କିନ୍ତୁ ଏହା ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଦିଆଯାଉଥିବା ଫାଇଲେରିଆ ନିରୋଧୀ ଔଷଧ ସେବନ ଦ୍ୱାରା ରୋକାଯାଇ ପାରିବ ।
ଭାରତର ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମର ଦୁଇଟି ପର୍ଯ୍ୟାୟ ରହିଛି ତାହା ହେଉଛି ସମୂହ ଔଷଧ ସେବନ ଓ ରୁଗ୍‌ଣ ଅବସ୍ଥା ପରିଚାଳନା ଏବଂ ଅକ୍ଷମତା ନିରାକରଣ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କୃମିନାଶକାରୀ ଫାଇଦା ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଏମ୍‌ଡିଏ ସମୟରେ ଜନସାଧାରଣଙ୍କୁ ଦିଆଯାଉଥିବା ଆଲ୍‌ବେଣ୍ଡାଜୋଲ ଭଳି ନିରାକରଣମୂଳକ ଔଷଧର କୃମିନାଶକାରୀ ଅତିରିକ୍ତ ଫାଇଦା ମଧ୍ୟ ରହିଛି, ଯାହା ପିଲାମାନଙ୍କ ଶରୀରରେ ପୋଷକତତ୍ତ୍ୱ ଗ୍ରହଣୀୟତା ବୃଦ୍ଧି କରିବା ସହିତ ସେମାନଙ୍କର
ଶାରୀରିକ ଏବଂ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଥିଲେ ଯେ ଜିଲ୍ଲାଗୁଡ଼ିକର ହିତାଧିକାରୀମାନେ ଫାଇଲେରିଆ ନିରୋଧୀ ଔଷଧ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସେବନ କରିବାକୁ ମଧ୍ୟ ନିଶ୍ଚିତ କରାଯିବ । ୨ ବର୍ଷରୁ କମ ବୟସର ପିଲା, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଲୋକଙ୍କ ବ୍ୟତୀତ ଅନ୍ୟମାନେ ପ୍ରତ୍ୟେକ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଏହି ପର୍ଯ୍ୟାୟଗୁଡ଼ିକ ସମୟରେ ଦିଆଯାଉଥିବା ଡୋଜ୍‌ ନିଶ୍ଚିତ ସେବନ କରିବା ଆବଶ୍ୟକ ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡା. ଅମରେନ୍ଦ୍ରନାଥ ମହାନ୍ତି କହିଥିଲେ ଯେ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂପର୍କିତ ସଠିକ ସୂଚନା ପ୍ରସାରଣ କ୍ଷେତ୍ରରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମୂହ ଔଷଧ ସେବନ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସମର୍ଥନ କରି ଏହାକୁ ସଫଳ କରିବା ସକାଶେ ସେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କରିଥିଲେ । କର୍ମଶାଳା ଶେଷରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି କହିଥିଲେ କେବଳ ଗୋଷ୍ଠୀ ଏବଂ ଗଣମାଧ୍ୟମ ସମର୍ଥନରେ ଆମେମାନେ ଲସିକା ଫାଇଲେରିଆକୁ ମୂଳୋତ୍ପାଟନ କରିବା ସମ୍ଭବ ହୋଇପାରିବ । ଏହି ଅଭିଯାନ ସମୟରେ ୧୭ଟି ଜିଲ୍ଲାରେ ଆଶାକର୍ମୀଙ୍କ ସମେତ ୬୦ ହଜାର ତାଲିମପ୍ରାପ୍ତ ସେ୍ୱଚ୍ଛାସେବୀଙ୍କୁ ଔଷଧ ସେବନ କରାଇବା ନିମନ୍ତେ ନିୟୋଜିତ କରାଯିବ ।
ପରିଶେଷରେ ଗ୍ଲୋବାଲ ହେଲଥ୍‌ ଷ୍ଟ୍ରାଟେଜିର ନିର୍ଦ୍ଦେଶକ ଶ୍ରୀ ଅନୁଜ ଘୋଷ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତଙ୍କର ମିଳିତ ପ୍ରଚେଷ୍ଟାରେ ଆମେମାନେ ରାଜ୍ୟର ଲସିକା ଫାଇଲେରିଆ ମୂଳୋତ୍ପାଟନ କରିପାରିବା ବୋଲି କହିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚ୍‌ଓ) ଏବଂ ପ୍ରୋଜେକଫ କନସନ୍‌ ଇଣ୍ଟରନ୍ୟାସନାଲ୍‌ (ପିସିଆଇ)ର ରାଜ୍ୟ ପ୍ରତିନିଧିମାନେ ଏହି ଗଣମାଧ୍ୟମ କର୍ମଶାଳାରେ ଉପସ୍ଥିତ ଥିଲେ ।