୨୦୨୧ ଆରମ୍ଭ ସୁଦ୍ଧା ଭାରତରେ ଉପଲବ୍ଧ ହେବ କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୦୨୧ ମସିହା ଆରମ୍ଭ ବେଳକୁ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ରାଜ୍ୟସଭାରେ ପ୍ରକାଶ କରିଛନ୍ତି।

“ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ କରୋନା ଟିକା ପାଇଁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏକ ବିଶେଷଜ୍ଞ ଗ୍ରୁପ୍ ଏହା ଉପରେ କାମ କରୁଛନ୍ତି। ଆମେ ଆଶା କରୁଛୁ ଯେ ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଭାରତରେ ଏକ ଟିକା ଉପଲବ୍ଧ ହେବ” ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସମୟରେ ଜିଡସ୍ କ୍ୟାଡିଲା ଏବଂ ଭାରତ ବାୟୋଟେକ୍ ଦ୍ଵାରା ଦୁଇଟି ସ୍ୱଦେଶୀ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି।

ଅକ୍ସଫୋର୍ଡ ୟୁନିଭର୍ସିଟି ରିସର୍ଚ୍ଚ ଏବଂ ଆଷ୍ଟ୍ରାଜେନେକା ଦ୍ଵାରା ମିଳିତ ଭାବେ ବିକଶିତ ହୋଇଥିବା କୋଭିଶିଲ୍ଡର ପରୀକ୍ଷଣ ପୁଣି ଆରମ୍ଭ କରିଛି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)। ଏସଆଇଆଇ ଦେଶର ୧୭ ଟି ସ୍ଥାନରେ ପରୀକ୍ଷା ପରିଚାଳନା କରୁଛି।