ଆଜି ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ; ସହିଦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ । ୨୦୧୯ ମସିହା ଫେବ୍ରୁଆରି ୧୪ ରେ ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସହିଦ ହୋଇଥିବା ଯବାନଙ୍କୁ ଦେଶ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଏଥିପାଇଁ ଦେଶବ୍ୟାପୀ କେତେଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେଥିରୁ ଗୋଟାଏ ହେଉଛି ସହିଦ ଯବାନଙ୍କ ସ୍ମତିରେ ସ୍ମାରକୀ ଉତ୍ସର୍ଗ କାର୍ଯ୍ୟକ୍ରମ। ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ‘ସିଆର୍‌ପିଏଫ୍‌’ କ୍ୟାମ୍ପ୍‌ରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି।

ଏହି ସ୍ମାରକୀରେ ସହିଦ ହୋଇଥିବା ୪୦ଜଣ ଯବାନଙ୍କ ନାମ ଓ ଫଟୋ ରହିଛି। ଏହା ଛଡ଼ା ଏଥିରେ ଲେଖାଯାଇଛି ‘ସେବା ଓ ନିଷ୍ଠା’।

ଗତବର୍ଷ ଆଜି ଦିନରେ ‘ଜୈଶ୍‌-ଏ-ମହମ୍ମଦ’ର ଜଣେ ଆତଙ୍କବାଦୀ ଏହି ସ୍ଥାନରେ ବିସ୍ଫୋଣର ଘଟାଇଥିଲା। ସେ ଆତଙ୍କବାଦୀ ହେଉଛି ଆଦିଲ୍‌ ଅହମଦ ଦର୍‌। ସେ ଏକ ବିସ୍ଫୋରକ ବୋଝେଇ କାର୍‌ ନେଇ ‘ସିଆର୍‌ପିଏଫ୍‌’ ଯବାନ ଯାଉଥିବା ବସ୍‌ ପାଖରେ ବିସ୍ଫୋରଣ କରିଥିଲା। ଫଳରେ ୪୦ଜଣ ଯବାନ ସହିଦ ହୋଇଥିଲେ।