‘ବିକ୍ରମ’କୁ ଠାବ କରିପାରିଲାନି ନାସା

ନୂଆଦିଲ୍ଲୀ :ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋର ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ପ୍ରଚେଷ୍ଟା ଜାରୀ ରଖିଛି। କିନ୍ତୁ ଏଯାଏଁ ତାହା ସହ କୌଣସୀ ସମ୍ପର୍କ ସ୍ଥାପନ କରି ହେଉ ନାହିଁ। ଚନ୍ଦ୍ରରେ ଏବେ ରାତି ହେବାକୁ ବସିଲାଣି। ଏମିତିରେ ବିକ୍ରମ ସହ ସମ୍ପର୍କ କରିବା କାଠିକର ପାଠ ହୋଇ ପଡିଲାଣି। ଏତଦ୍ ସତ୍ତ୍ଵେ ମଧ୍ୟ ଇସ୍ରୋ ନାସା ଉପରେ ଆଶା ରଖି ବସିଥିଲା। ଇସ୍ରୋ ମୁତାବକ, ଅର୍ବିଟରରେ ଲାଗିଥିବା କ୍ୟାମେରା ସେଠାରେ ପହଁଚି ପାରୁ ନାହିଁ। 

ନାସାର ଏଲଆରଓ ଗତ ୧୦ବର୍ଷ ଧରି ଚନ୍ଦ୍ରର ପରିକ୍ରମା କରୁଛି। ଏଲଆରଓ ବିକ୍ରମ ପଡିଥିବା ସ୍ଥାନ ଦେଇ ମଙ୍ଗଳବାର ଦିନ ପରିକ୍ରମା କରିଥିଲା। ତେବେ ନାସାର ଗ୍ରହ ବିଜ୍ଞାନ ବିଭାଗର ସାର୍ବଜନିକ ମାମଲା ଅଧିକାରୀ ଏନେଇ କହିଛନ୍ତି କି, ଅର୍ବିଟର ଲ୍ୟାଣ୍ଡିଙ୍ଗ୍ ସାଇଟର ଫଟୋ ଉତ୍ତୋଳନ କରିଛି କିନ୍ତୁ ବିକ୍ରମ ଲ୍ୟାଣ୍ଡିଙ୍ଗ କରିଥିବା ସଠିକ୍ ସ୍ଥାନ ବିଷୟରେ କିଛି ଆକଳନ କରାଯାଇ ନାହିଁ। ବୋଧହୁଏ ଲ୍ୟାଣ୍ଡରର ସ୍ଥାନ କ୍ୟାମେରା କ୍ଷେତ୍ରଠାରୁ ବାହାରେ ରହିଛି। 

ଚନ୍ଦ୍ରଯାନ ୨ ଇସ୍ରୋର ଦ୍ଵିତୀୟ ଚନ୍ଦ୍ର ଅଭିଯାନ ଥିଲା। ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ଇସ୍ରୋ ସହ ଏହାର ସମସ୍ତ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ବିକ୍ରମ ମଧ୍ୟରେ ରୋଭର ପ୍ରଜ୍ଞାନ ଥିଲା। ଯାହା ଚନ୍ଦ୍ରପୃଷ୍ଠରେ ଯାଇ ଜଳର ସନ୍ଧାନ କରିବା ସହ ଖଣିଜ, ବାତାବରଣ ଏବଂ ଭୂକମ୍ପର ଆକଳନ କରିଥାନ୍ତା। ତେବେ ଯେଉଁ ସ୍ଥାନରେ ବିକ୍ରମ ଲ୍ୟାଣ୍ଡିଙ୍ଗ କରିଥିଲା ସେହି ସ୍ଥାନରେ ଏବେ ରାତି ହେବା ଆରମ୍ଭ ହୋଇ ଗଲାଣି। ସେଠାକାର ପ୍ରାୟ ଅଞ୍ଚଳରେ ଅନ୍ଧକାର ଘୋଟି ଗଲାଣି।