ବିକ୍ରମ ଲ୍ୟାଣ୍ଡିଙ୍ଗ୍ ସାଇଟର ଫଟୋ ଜାରି କଲା ନାସା

ୱାସିଙ୍ଗଟନ :ନାସା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଙ୍ଗ ସାଇଟର ଫଟୋ ଜାରି କରିଛି। ଫଟୋ ଆଧାରରେ ବିକ୍ରମର ହାର୍ଡ ଲ୍ୟାଣ୍ଡିଙ୍ଗ୍ ହୋଇଛି ବୋଲି ନାସା କହୁଛି। ଅର୍ଥାତ୍ ବିକ୍ରମ ତୀବ୍ର ଗତିରେ ଆସି ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ତେବେ ବିକ୍ରମର ଏଯାଏଁ କୌଣସୀ ଫଟୋ ମିଳି ନାହିଁ। କିନ୍ତୁ ଅକ୍ଟୋବରରେ ନାସା ଆଉ କିଛି ଫଟୋ ଦେଇପାରେ ବୋଲି କହିଛି। ସେହି ସମୟରେ ହାଇ ରିଜୋଲ୍ୟୁସନ ଇମେଜ ଏହାର ଲୁନାର ଅର୍ବିଟର କ୍ୟାମେରା ସାହାଯ୍ୟରେ ଉଠାଯାଇଛି। 

ନାସା ବୈଜ୍ଞାନିକଙ୍କ ମୁତାବକ, ଚନ୍ଦ୍ରପୃଷ୍ଠରେ ରାତି ହୋଇ ସାରିଛି। ଏହା ଦ୍ଵାରା ଚନ୍ଦ୍ରପୃଷ୍ଠରେ କେବଳ ଛାୟା ଦେଖା ଯାଉଛି। ତେଣୁ ବିକ୍ରମ କେଉଁ ଛାୟା ଭିତରେ ରହି ଯାଇଥିବାର ସମ୍ଭାବନା ରହିଛି। ବିକ୍ରମ ଦେଖା ନଯିବା ପଛର ଅନ୍ୟ ଏକ କାରଣ ଧୂଳି ହୋଇପାରେ। 

ନାସା କହିବା ଅନୁଯାୟୀ, ତାଙ୍କର ଲୁନାର ଅର୍ବିଟର ଲ୍ୟାଣ୍ଡିଙ୍ଗ ସାଇଟ ଉପରୁ ସେପ୍ଟେମ୍ବର ୧୭ରେ ଅତିକ୍ରମ କରିଥିଲା। ଏହି ସମୟରେ ସେଠାକାର ବହୁ ଫଟୋ ନେଇଥିଲା। କିନ୍ତୁ ଫଟୋରେ କେଉଁଠାରେ ବି ବିକ୍ରମ ଦେଖାଯାଉ ନାହିଁ। ଯେଉଁ ସମୟରେ ଅର୍ବିଟର ସେଠାରେ ପରିକ୍ରମା କରୁଥିଲା ସେହି ସମୟରେ ସେଠାରେ ସନ୍ଧ୍ୟା ହୋଇ ସାରିଥିଲା। ତେଣୁ ଛାୟା କାରଣରୁ ସେଠାରେ ଫଟୋ ସ୍ପଷ୍ଟ ଆସି ନାହିଁ। ଅକ୍ଟୋବରରେ ପୁଣି ଏଠାରେ ଆଲୋକ ପଡିବ। ସେହି ସମୟରେ ବିକ୍ରମକୁ ଖୋଜାଯିବ। ତେବେ ଅକ୍ଟୋବର ୧୪ରେ ଲୁନାର ଅର୍ବିଟର ପୁଣି ଥରେ ଲ୍ୟାଣ୍ଡିଙ୍ଗ୍ ଏରିୟା ଦେଇ ପରିକ୍ରମା କରିବ।

ସେପ୍ଟେମ୍ବର ୭ରେ ରାତ୍ରୀ ୧ଟା ୩୦ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ହାର୍ଡ ଲ୍ୟାଣ୍ଡିଙ୍ଗ କରିଥିଲା। ଏହାପରେ ବିକ୍ରମ ସହ ଇସ୍ରୋର ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା।