ଖୁବ୍ ଶୀଘ୍ର ଦେଶରୁ ଦୁର୍ନୀତିକୁ ସମୂଳେ ନଷ୍ଟ କରାଯିବ: ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆତଙ୍କବାଦ, ଦୁର୍ନୀତି, ଜଳ ସଂରକ୍ଷଣ, ଜନସଂଖ୍ୟା ବୃଦ୍ଧି ଆଦି ପ୍ରସଙ୍ଗ ଉପସ୍ଥାପନା କରିଛନ୍ତି ।  

ଏହି ଅବସରରେ ସେ ଦୁର୍ନୀତିକୁ ନେଇ କହିଛନ୍ତି କି, ଦେଶ ଦୁର୍ନୀତି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ଭୋଗିଛି । ଏହି ଚେର ଅତି ଗଭୀରକୁ ଯାଇଛି । ଏହା ଏକ ପୁରୁଣା ରୋଗ । କେବଳ ସରକାରୀ ସ୍ତର ନୁହେଁ ସମସ୍ତ ସ୍ତରରେ ଏହାକୁ ରୋକିବା ପାଇଁ ପ୍ରୟାସ କରାଯିବା ଉଚିତ । ସରକାର ଆସିବା ପରେ ଅନେକ ଦୁର୍ନୀତିଖୋର ଅଫିସରଙ୍କୁ ଛୁଟି କରାଯାଇଛି । ବ୍ୟବସ୍ଥାକୁ ଚଳାଉଥିବା ଲୋକଙ୍କ ବିଚାରରେ ପରିବର୍ତନ ହେବା ଆବଶ୍ୟକ । ଆମକୁ ସ୍ୱପ୍ନକୁ ନେଇ ଆଗକୁ ବଢିବାକୁ ହେବ । ସରକାର ଆମ ସହ ରହିଛନ୍ତି । 

ମୋଦୀ ଆହୁରି କହିଛନ୍ତି ଯେ, ପ୍ରତିଦିନ ନୂଆ ନୂଆ ଆଇନ ହଟାଯାଇଛି । ପ୍ରାୟ ୧୪ରୁ ଅଧିକ ଆଇନକୁ ଉଚ୍ଛେଦ କରାଯାଇଛି । ଯାହା ଜନତାଙ୍କ ହିତକୁ ନଜରରେ ରଖି କରାଯାଇଛି । ସାରା ଦୁନିଆରେ ବିଶ୍ୱାସ ସୃଷ୍ଟି ହୋଇଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଦେଶର ଅର୍ଥବ୍ୟବସ୍ଥା ୩ ଟ୍ରିଲିୟନ ଇକୋନୋମିରେ ପହଁଚିଛି । ଯାହା ଆଗାମୀ ଦିନରେ ୫ ଟ୍ରିଲିୟନରେ ପହଁଚିବ । କଳାଧନ ବିରୋଧରେ ଲଢେଇ ଆରମ୍ଭ ହୋଇଛି । ଜନତା ବନ୍ଦେ ଭାରତ ଏକ୍ସପ୍ରେସ ତାଙ୍କ ଅଂଚଳରେ କେବେ ପହଁଚିବ ବୋଲି ପ୍ରଶ୍ନ କରୁଛନ୍ତି । ଦେଶର ଆବଶ୍ୟକତା ଅନୁସାରେ ଆଧୁନିକ ଇନଫ୍ରାଷ୍ଟକଚର୍ ନିର୍ମାଣ କରାଯାଉଛି । ଏଥି ନିମନ୍ତେ ୧୦୦ ଲକ୍ଷ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଭାରତରେ ସ୍ଥିର ସରକାର ଅଛି । ଅନ୍ୟ ଦେଶ ଭାରତ ସହ ବ୍ୟବସାୟ କରିବାକୁ ଆଗ୍ରହୀ ।  ସରକାର ଦରବୃଦ୍ଧିକୁ ନିୟନ୍ତ୍ରଣ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି । ଏବେ ତିନି ସେନା ମୁଖ୍ୟ ଭାବେ ଚିଫ ଅଫ୍ ଡିଫେନ୍ସ ଷ୍ଟାଫଙ୍କୁ ନିଯୁକ୍ତ କରାଯିବ । ଡିଜିଟାଲ ପେମେଂଟକୁ ବୃଦ୍ଧି କରାଯିବ । ସେହିପରି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତିରେ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ପ୍ରୟାସ କରାଯିବ । କେମିକାଲ ସାର ଆଦିକୁ ବନ୍ଦ କରିବା ପାଇଁ ଅଭିଯାନ ହେବ । ଯାହା ପୃଥିବୀ ମାତାକୁ ରକ୍ଷା କରିବ । ଏଥି ପାଇଁ ବଡ ସ୍ୱପ୍ନ ଦେଖିବାକୁ ହେବ । ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଦେଶର ଜଣେ ନାଗରିକ । ଏସବୁକୁ ସାଥିରେ ନେଇ ନୂଆ ଭାରତ ନିର୍ମାଣ ପାଇଁ ଆଗକୁ ବଢିବାକୁ ହେବ । ଏହାସହ ସେ ଜୟ ହିନ୍ଦ, ଭାରତ ମାତା କି ଜୟ ଓ ବନ୍ଦେ ମାତାର  କହି ନିଜର ଅଭିଭାଷଣ ସମାପ୍ତ କରିଥିଲେ ।