ଆବର୍ଜନା ବୃଦ୍ଧି କରୁଥିବା କମ୍ପାନୀଙ୍କ ଉପରେ ଲାଗିବ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ : ସରକାର ଏବେ ପୁନଃଚକ୍ରଣ କରୁଥିବା କମ୍ପାନୀ ଗୁଡିକୁ ଟ୍ୟାକ୍ସମୁକ୍ତ କରିବା ପ୍ରସ୍ତୁତିରେ ଅଛନ୍ତି । ଏହା ସହ ପରିବେଶରେ ଅଳିଆ ଆବର୍ଜନା ବୃଦ୍ଧି କରୁଥିବା କମ୍ପାନୀ ଗୁଡିକ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରିବା ପାଇଁ ସରକାର ନିଷ୍ପତି ନେଇଥିବା ସୂଚନା ମିଳିଛି । ଏକ ସୂତ୍ର ଅନୁଯାୟୀ, ପରିବେଶ ମନ୍ତ୍ରାଳୟ ଏହା ଉପରେ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି । ଏଥିରେ ପୁନଃଚକ୍ରଣ ବସ୍ତୁ ବ୍ୟବହାର କଲେ ଟ୍ୟାକ୍ସମୁକ୍ତ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

ପ୍ରାକୃତିକ ସମ୍ବଳ ଗୁଡିକ ଉଚିତ୍ ଭାବରେ ବ୍ୟବହାର କରିବା ପାଇଁ ଜାତୀୟ ସମ୍ବଳ ସୁବିନିଯୋଗ ପ୍ରାଧୀକରଣ ଗଠନ କରାଯିବ । ଯିଏକି ପ୍ରାକୃତିକ ସମ୍ବଳ ଗୁଡିକ ପାଇଁ ଉଚିତ୍ ନିୟମ ପ୍ରସ୍ତୁତ କରିବ ଏବଂ ଏହାର ରକ୍ଷଣାବେକ୍ଷଣା କରିବ । ପରିବେଶ ମନ୍ତ୍ରାଳୟ ୨୦୧୯-୨୨ର ରୋଡ ମ୍ୟାପ ପ୍ରସ୍ତୁତିରେ ଏହି ନିୟମ ଆଣିବାକୁ ଯାଉଛି ।  

ପରିବେଶ ପ୍ରଦୂଷଣ ଏବେ ସମ୍ପୂର୍ଣ୍ଣ ଦୁନିଆରେ ଚିନ୍ତାର କାରଣ ପାଲଟିଛି । ନିକଟରେ ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ଇ-ଯାନବାହନର ବ୍ୟବହାର ବୃଦ୍ଧି କରିବାକୁ ସରକାର କ୍ରେତା ମାନଙ୍କୁ ଆକୃଷ୍ଟ କରିବାକୁ ଜିଏସଟି ହ୍ରାସ କରି ଦେଇଛନ୍ତି । ଜିଏସଟି କାଉନସିଲର ବୈଠକରେ ବୈଦ୍ୟୁତିକ ଯାନବାହନରେ ଟ୍ୟାକ୍ସ ୧୨ ପ୍ରତିଶତ ହ୍ରାସ କରି ୫ ପ୍ରତିଶତ କରି ଦିଆଯାଇଛି । ସେହିପରି ଚାର୍ଜରରେ ଜିଏସଟି ୧୮ ପ୍ରତିଶତରୁ ୧୨ ପ୍ରତିଶତ କରି ଦିଆଯାଇଛି । ଅଗଷ୍ଟ ୧ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।