ଉନ୍ନାଓ ଦୁଷ୍କର୍ମ ମାମଲା: ଆଜି ଟ୍ରକ ଡ୍ରାଇଭର ଓ ହେଲପରର ହେବ ନାର୍କୋ ଟେଷ୍ଟ

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ କାରକୁ ଧକ୍କା ଦେଇ ଜେଲଦଣ୍ଡ ଭୋଗୁଥିବା ଟ୍ରକ ଡ୍ରାଇଭର ଏବଂ ହେଲ୍ପରର ଆଜି ନାର୍କୋ ଟେଷ୍ଟ କରାଯିବ । ଏପରିକି ସେମାନଙ୍କର ବ୍ରେନ ମ୍ୟାପିଂ ଓ ଫିଙ୍ଗର ପ୍ରିଂଟ ଟେଷ୍ଟ ମଧ୍ୟ କରାଯିବ । ଆବେଦନକାରୀଙ୍କ ଅପିଲ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଭାରୀ ସୁବ୍ରତ ପାଠକ ଏନେଇ ଅନୁମତି ଦେଇଛନ୍ତି ।

କୋର୍ଟରେ ଅପିଲ କରି ଆବେଦନକର୍ତା ତଥା ସିବିଆଇର ଡେପୁଟି ଏସପି ରାମ ସିଂ ଏହି ସମସ୍ତ ଟେଷ୍ଟ ପାଇଁ ଟ୍ରକ ଚାଳକ ଆଶିଷ ପାଲ ଏବଂ ହେଲ୍ପର ମୋହନ ଶ୍ରୀବାସଙ୍କ ବୟାନ ରେକର୍ଡ ପାଇଁ ଅନୁମତି ମିଳିଥିବା କହିଥିଲେ । ଏହି ଦୁଇ ଅଭିଯୁକ୍ତଙ୍କୁ କୋର୍ଟରୁ ଝଟକା ମିଳିବା ପରେ ସିବିଆଇକୁ ମଧ୍ୟ ତଦନ୍ତ କରିବାକୁ ଅନୁମତି ଦିଆଯାଇଛି ।  ସିବିଆଇର ଆବେଦନ ଆଧାରରେ ଏହି ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧୀ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରାଯାଇଛି ।

ଦୁଷ୍କର୍ମ ପୀଡିତାଙ୍କ ସହ ରାଏବରେଲୀରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଓ ହେଲ୍ପରଙ୍କର ଗତ ବୁଧବାର ଦିନ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ସିବିଆଇ ଏବେ ଜରୁରୀ କାଗଜପତ୍ର ପ୍ରସ୍ତୁତ କରି ନାର୍କୋ ଟେଷ୍ଟର ବ୍ୟବସ୍ଥା କରୁଛି ।