ବାରଙ୍ଗ: କୋରୋନାକୁ ନେଇ ନନ୍ଦନକାନନକୁ ୧୫ଦିନ ଯାଏଁ ବନ୍ଦ ଘୋଷଣା କରାଯାଇଛି । ପର୍ଯ୍ୟଟକମାନଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାରଙ୍ଗର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ ବୋଲି ନନ୍ଦନକାନନର ଉପନିର୍ଦେଶକ ଜୟନ୍ତ ଦାସ ଘୋଷଣା କରିଛନ୍ତି।
କିନ୍ତୁ, ନନ୍ଦନକାନନର କର୍ମଚାରୀମାନେ ମୁହଁରେ ମାସ୍କ୍ ଏବଂ ହାତରେ ଗ୍ଲୋଭ୍ସ୍ ପିନ୍ଧି ପ୍ରାଣୀମାନଙ୍କର ତତ୍ୱ ନେବେ। ଏହାଛଡ଼ା କର୍ମଚାରୀମାନେ ପରସ୍ପର ଠାରୁ ନିରାପଦ ଦୂରତାରେ ରହିବେ। ଆବଶ୍ୟକସ୍ଥଳେ କର୍ମଚାରୀମାନଙ୍କୁ ସେବା ଯୋଗାଇବା ନିମନ୍ତେ ଡାକ୍ତରୀ ଦଳ ପ୍ରସ୍ତୁତ ରହିବେ ବୋଲି ଜଣାପଡ଼ିଛି।
ଦୈନିକ ନନ୍ଦନକାନନକୁ ଭାରତର ବିଭିନ୍ନ ରାଜ୍ୟ ଏବଂ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଥିବାରୁ କରୋନାଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ରହିଛି। ସତର୍କତା ଅବଲମ୍ବନ ପାଇଁ କର୍ତୃପକ୍ଷ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।
ସେହି ଭଳି କୋରୋନା ଭାଇରସ୍ ସଂକ୍ରମଣ ଏଡ଼ାଇବାକୁ ସମ୍ବଲପୁର ଅନ୍ତର୍ଗତ ହୀରାକୁଦ ଠାରେ ଥିବା ରୋପୱେ ମଧ୍ୟ ବନ୍ଦ କରାଯାଇଛି।