ଲାଭରେ ୧୧୦୦ କୋଟି ବୃଦ୍ଧି ଆଣିବାକୁ NALCOର ଯୋଜନା

ଭୁବନେଶ୍ୱର : ଆସନ୍ତା ୨ ରୁ ୩ ବର୍ଷ ମଧ୍ୟରେ ମୋଟ ଲାଭ ପରିମାଣରେ ୧୧୦୦ କୋଟି ଟଙ୍କା ବୃଦ୍ଧି ଆଣିବାକୁ ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ନାଲ୍କୋ ଯୋଜନା କରିଛି । କମ୍ପାନୀର ଉତ୍ପାଦନଭିତ୍ତିକ ବିଭିନ୍ନ ଦିଗରେ ସଂପ୍ରସାରଣ ଆଣିବା ସହିତ କୋଇଲାଖଣି କାର୍ଯ୍ୟକାରୀ କରିବା ଏବଂ ରିଫାଇନେରୀ କ୍ଷମତା ବୃଦ୍ଧି କରି ଲାଭ ପରିମାଣରେ ବୃଦ୍ଧି କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଆର୍ଥିକବର୍ଷ ଅର୍ଥାତ ୨୦୧୮- ୧୯ରେ କମ୍ପାନୀର ମୋଟ ଲାଭ ପରିମାଣ ୧୭୩୨ କୋଟି ଟଙ୍କା ରହିଥିଲା, ହେଲେ ଆଗାମୀ ଦୁଇରୁ ତିନିବର୍ଷ ମଧ୍ୟରେ ଏହି ପରିମାଣରେ ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ଯୋଜନା କରାଯାଇଥିବା କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ନିଜର ଉପଯୋଗ ପାଇଁ ନାଲକୋ କୋଲ୍ ଇଣ୍ଡିଆରୁ କୋଇଲା କ୍ରୟ କରୁଛି । କିନ୍ତୁ ୨୦୧୬ ମସିହାରେ ନାଲ୍କୋକୁ ଉକ୍ରଳ ‘ଡି’ କୋଇଲା ବ୍ଲକ୍ ଦିଆଯାଇଥିଲା । ଏହି ଖଣିରୁ ବାର୍ଷିକ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାର କ୍ଷମତା ରହିଥିଲାବେଳେ ଏହାକୁ କାର୍ଯ୍ୟକାରୀ କରାଗଲେ ପ୍ରତି ଟନ୍ ପିଛା କୋଇଲା ଉପଯୋଗରେ କମ୍ପାନୀକୁ ଅନ୍ୟୂନ ୨୩୦୦ ଟଙ୍କା କମ୍ ଖର୍ଚ୍ଚ କରିବାକୁ ପଡ଼ିବ । ଫଳରେ କମ୍ପାନୀର ବାର୍ଷିକ ଲାଭରେ ୫୬୦ କୋଟି ଟଙ୍କା ବୃଦ୍ଧି ଘଟିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ କମ୍ପାନୀ ପାଇଁ ଆବଶ୍ୟକ ପଡ଼ୁଥିବା କୋଇଲା ପାଇଁ ଟନ୍ ପିଛା ପରିବହନଜନିତ ବ୍ୟୟ ପରିମାଣ ୪୦୦୦ ଟଙ୍କା ରହିଛି । କିନ୍ତୁ ଉକ୍ରଳ ‘ଡି’ ବ୍ଲକ୍ କୋଇଲା ଖଣି କାର୍ଯ୍ୟକାରୀ ହେବା ପରେ ଏହି ପରିମାଣ ୧୭୦୦ ଟଙ୍କାକୁ ହ୍ରାସ ପାଇବ । ତଦ୍ଦ୍ୱାରା କମ୍ପାନୀକୁ ଟନ୍ ପିଛା କୋଇଲାରେ ଯେତିକି ସଞ୍ଚୟ କରାଯାଇପାରିବ ତାହା ବାର୍ଷିକ ୫୬୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଏହାବ୍ୟତୀତ କମ୍ପାନୀର ବ୍ରାଉନ୍ଫିଲ୍ଡ ରିଫାଇନେରୀର କ୍ଷମତା ସମ୍ପ୍ରସାରଣ କରାଯାଇ ୨୦୨୨-୨୩ ସୁଦ୍ଧା ଏହାକୁ ଏକ ନିୟୁତ ଟନ୍ରେ ପରିଣତ କରାଯିବା ସହିତ ଏହି ପ୍ରକଳ୍ପରେ ୩୮୦ କୋଟି ଟଙ୍କା ବିନିଯୋଗ କରାଯିବ । ବର୍ତ୍ତମାନ ନାଲ୍କୋର ରିଫାଇନାରୀ ଉତ୍ପାଦନ କ୍ଷମତା ୨୨.୭୫ ଲକ୍ଷ ଟନ୍ ରହିଥିବାବେଳେ ଦାମନଯୋଡ଼ି ପ୍ରକଳ୍ପରେ ଆଉ ୫୫୪୦ କୋଟି ଟଙ୍କା ବିନିଯୋଗ କରାଯାଇ ଏହାର କ୍ଷମତା ମଧ୍ୟ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶା ପ୍ରକଳ୍ପ ବ୍ୟତୀତ ଗୁଜରାଟସ୍ଥିତ ଗୁଜରାଟ ଆଲକାଲିଜ୍ ଆଣ୍ଡ କେମିକାଲ ଲିଃ( ଜିଏ ସିଏଲ) କମ୍ପାନୀ ସହ ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରି ସେଠାରେ କମ୍ପାନୀ କଷ୍ଟିକ୍ ସୋଡ଼ା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୦ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ବାର୍ଷିକ ୮୦ କୋଟି ଟଙ୍କା ଲାଭ ଉଠାଇବାକୁ ଲକ୍ଷ୍ୟ ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୨ ରୁ ୭ ଲକ୍ଷ ଟନ୍ ପର୍ଯ୍ୟନ୍ତ ରଖାଯାଇଥିବା ବେଳେ କେବଳ ଏକ ଟନ୍ ଆଲୁମିନିୟମ ଉତ୍ପାଦନ ପାଇଁ ମାତ୍ର ୦.୨ ଟନ୍ କଷ୍ଟିକ୍ ସୋଡ଼ାର ଆବଶ୍ୟକତା ପଡ଼ିବ । ଏହି ପ୍ରକଳ୍ପରେ ମୋଟ ୨୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ଆବଶ୍ୟକ ପରିବେଶଜନିତ ମଞ୍ଜୁରୀ ମଧ୍ୟ ମିଳିସାରିଛି ବୋଲି କୁହାଯାଇଛି । ଏଥିସହିତ ନାଲ୍କୋ ୨୦୨୦ ସୁଦ୍ଧା ଆଉ ଏକ ୱେୟାର୍ ରଡ୍ ମିଲ୍ ନିର୍ମାଣ କରିବାକୁ ଯୋଜନା କରିଛି । ଏହି ପ୍ରକଳ୍ପରୁ କମ୍ପାନୀ ବାର୍ଷିକ ୬୦,୦୦୦ ଟନ୍ ରଡ୍ ଉତ୍ପାଦନ କରିବା ସହିତ ବର୍ଷକୁ ୬୦ କୋଟି ଟଙ୍କାର ଲାଭ ଉଠାଇବାକୁ ଯୋଜନା ରଖିଛି ବୋଲି କୁହାଯାଇଛି । ସେହିପରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଶିଳ୍ପ କ୍ଷେତ୍ରରେ ମୂଲ୍ୟଯୁକ୍ତ ପଦାର୍ଥ ପାଇଁ କ୍ୟାସ୍ଲେସ୍ ବ୍ୟବସ୍ଥା ଆରମ୍ଭ କରି ଏହି କ୍ଷେତ୍ରରୁ ବର୍ଷକୁ ଅନ୍ୟୂନ ୫୦ କୋଟିର ଫାଇଦା ଉଠାଇବାକୁ ଯୋଜନା କରିଥିବା କୁହାଯାଇଛି ।