‘ସଚ୍ଚୋଟତା-ଏକ ଜୀବନଶୈଳୀ’ : NALCOରେ ସତର୍କତା ସଚେତନତା ସପ୍ତାହ ୨୦୧୯ ପାଳନର ମୁଖ୍ୟ ଧ୍ୟେୟ

ଭୁବନେଶ୍ୱର : ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ପକ୍ଷରୁ ଏହାର ପ୍ରକଳ୍ପ ଓ କାର୍ଯ୍ୟାଳୟରେ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଛି । ଚଳିତ ବର୍ଷ, ଅକ୍ଟୋବର୍ ୨୮ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ‘ସଚ୍ଚୋଟତା-ଏକ ଜୀବନଶୈଳୀ’ ଶୀର୍ଷକରେ ଏହି ସପ୍ତାହ ପାଳିତ ହେଉଛି । ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଉପରେ ଗୁରୁତ୍ୱ ଆରୋପ କରି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ନିର୍ଦ୍ଦେଶକ (ବାଣିଜ୍ୟ) ଶ୍ରୀ ପି.କେ. ମିଶ୍ର ଏବଂ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସୋମନାଥ ହାଂସଦା, କର୍ମଚାରୀମାନଙ୍କୁ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ରେ ଶପଥ ପାଠ କରାଇଥିଲେ ।

ଏହି ଅବସରରେ, ନିର୍ଦ୍ଦେଶକ (ପି ଆଣ୍ଡ୍ ଟି) ଶ୍ରୀ ଏସ୍.କେ. ରାୟ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଶ୍ରୀଧର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀବୃନ୍ଦ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସତର୍କତା ସଚେତନତା ସପ୍ତାହ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମତିଥି ସମୟରେ ପାଳିତ ହେଉଛି । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଅବସରରେ NALCO ପକ୍ଷରୁ ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆରେ ବତ୍କୃତା ଓ ପୋଷ୍ଟର୍ ପ୍ରତିଯୋଗୀତା ଆୟୋଜିତ ହେଉଛି ଯେଉଁଥିରେ କି ଓଡ଼ିଶାର ୧୦୦ ରୁ ଉଦ୍ଧ୍ୱର୍ ବିଦ୍ୟାଳୟରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତାରେ ଛାତ୍ରଛାତ୍ରୀମାନେ ଦୁର୍ନୀତି ନିବାରଣ ଏବଂ ସଚ୍ଚୋଟତା ରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ, ୱାକାଥନ୍, ସାଇକ୍ଲୋଥନ୍, ଗ୍ରମସଭା, ଆଲୋଚନାଚକ୍ର, କର୍ମଶାଳା, ପାମ୍ପ୍ଲେଟ୍ ବିତରଣ, ମିନି ମାରାଥନ୍, ପ୍ରମୁଖ ସ୍ଥାନରେ ବ୍ୟାନର୍ ପ୍ରଦର୍ଶନ ଆଦି ଦ୍ୱାରା କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ସତର୍କତା ସଚେତନତା ସପ୍ତାହର ଅବ୍ୟବହିତ ପୂର୍ବରୁ ଜାଭିୟର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍, ଭୁବନେଶ୍ୱର (ଏକ୍ସଆଇଏମ୍ବି) ଏବଂ ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (ଏସ୍ଆଇଟି) ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇ-ଇଂଟିଗ୍ରୀଟି ଶପଥ ପାଠ କରାଯାଇଥିଲା ।