ଗୋଠପାଟଣାରେ ହେବ ସେଂଟର ଅଫ୍ ଏକ୍ସଲେନ୍ସ

ଭୁବନେଶ୍ୱର: ପ୍ରଯୁକ୍ତିଭିତିକ ଷ୍ଟାର୍ଟଅପ୍ ଉଦ୍ୟୋଗୀ ବିକାଶ ଉଦ୍ଦେଶ୍ୟରେ ରାଷ୍ଟ୍ରାୟତ ନବରତ୍ନ କମ୍ପାନି ନାଲକୋ ଏକ ‘ସେଂଟର ଅଫ୍ ଏକ୍ସିଲେନ୍ସ’ ସ୍ଥାପନ କରିବ ।ଏଥିପାଇଁ ନାଲକୋ ପକ୍ଷରୁ ଏନଆଇଟି ରାଉଲକେଲା,ଏନଆଇଟି ରାଉଲକେଲା ଆଲୁମନି ଆସୋସିଏସନ୍ ସହ ଏକ ତ୍ରୀପାକ୍ଷିକ ବୁଝାମଣାପତ୍ର(ଏମଓୟୁ)ସ୍ୱାକ୍ଷର ହୋଇଛି ।

ଏମଓୟୁ ମୁତାବକ , ନାଲକୋ ପକ୍ଷରୁ ଗୋଠପାଟଣାରେ ସ୍ଥାପନ କରାଯାଉଥିବାବିଶ୍ୱଶ୍ରେଣୀୟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଂଟରଠାରେ ଏହି ଇନକ୍ୟୁବେସନ ସେଂଟର ସ୍ଥାପନ ହେବ । ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି ପାଇଁ ଆଇଆଇଟି, ଆଇସିଟି ଓ ଡିଏସଟି ସମସ୍ତ ପ୍ରକାର ସହଯୋଗ କରିବେ । ଏହା ଜରିଆରେ କ୍ରିଏଟିଭିଟି, ସୃଜନଶୀଳତାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ନାଲକୋ ଆଶା ରଖିଛି । ନାଲକୋର ଏହି ଅନନ୍ୟ ପଦକ୍ଷେପକୁ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ.କେ ରାଜେଶ୍ୱର ରାଓ ପ୍ରଶଂସା କରିଛନ୍ତି । ଏ ଅବସରରେ ନାଲକୋ ପକ୍ଷରୁ କମ୍ପାନି ୫୦ଜଣ କର୍ମଚାରୀଙ୍କୁ ସେମାନଙ୍କ ଉଚ୍ଚ ପ୍ରଦର୍ଶନ ଯାଇଁ ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏନେଇ ନାଲକୋ ଅଧ୍ୟକ୍ଷ ଡ.ତପନ କୁମାର ଚାନ୍ଦ କହିଛନ୍ତି, କର୍ମଚାରୀଙ୍କ କଠିନ ଅଧ୍ୟବସାୟ ଓ ନିଷ୍ଠା ହେତୁ ନାଲକୋ ଉତ୍ପାଦନ, ଉତ୍ପାଦକତା ଏବଂ ଆର୍ଥିକ ଲାଭ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି ।