ନାଲକୋ ପ୍ଲାଂଟ ଦୁର୍ଘଟଣାରେ ଗୁରୁତର କର୍ମଚାରୀ ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ସହାୟତା

ନାଲକୋନଗର: ନାଲକୋ ସ୍ମେଲଟର ପ୍ଲାଂଟରେ ଗତ ୨୩ ତାରିଖରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କର୍ମଚାରୀ ମିଥୁନ ନାଥଙ୍କର ଅଗଷ୍ଟ ୧ରେ ମୃତ୍ୟୁ ଘଟିଛି । ମିଥୁନଙ୍କ ମୃତ୍ୟୁକୁ ନେଇ ନାଲକୋ ସିଏମଡି ଡ.ତପନ କୁମାର ଚାନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ନାଲକୋ କର୍ତୃପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ମୋଟ ୪ଜଣ ଆହତ ହୋଇଥିଲେ । ଆହତ ହେବା ପରେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମିଥୁନଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ଉନ୍ନତମାନର ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଦିଲ୍ଲୀସ୍ଥିତ ସଫଦରଗଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ଏହି ଚିକିତ୍ସା ସମୟରେ ପରିବାର ସଦସ୍ୟଙ୍କ ସମେତ ନାଲକୋ ଅଧିକାରୀମାନେ ଉପସ୍ଥିତ ଥିଲେ । ତାଙ୍କର ସମସ୍ତ ଖର୍ଚ୍ଚ କମ୍ପାନୀ ତରଫରୁ ହୋଇଛି । ଏଥିସହ ତାଙ୍କ ମରଶରୀରକୁ ଦିଲ୍ଲୀରୁ ଆଣିବା ପାଇଁ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଏହି ଘଟଣାକୁ ନେଇ ନାଲକୋ କର୍ତୃପକ୍ଷ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମିଥୁନଙ୍କ ପରିବାରକୁ କମ୍ପାନୀ ଅନୁଯାୟୀ କ୍ଷତିପୂରଣ ଦେବା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବ । ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଜଣଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେବା ପାଇଁ କୁହାଯାଇଛି ।ଏଥିସହ ତାଙ୍କ ପତ୍ନୀ ଓ ପିଲାଙ୍କୁ ମାସିକ ପେନସନ ହିସାବରେ ଟଙ୍କା ସହାୟତା କରାଯିବ ।