ତୃତୀୟ ତ୍ରୈମାସିକ ଫଳାଫଳ : ନାଲକୋର 123 ପ୍ରତିଶତ ଉଲ୍ଲେଖନୀୟ ଅଭବୃଦ୍ଧି ସହ 240 କୋଟି ଟଙ୍କା ନିଟ୍ ଲାଭ

ଭୁବନେଶ୍ୱର :  କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ କମ୍ପାନୀ ତଥା ଦେଶର ଅନ୍ୟତମ ଆଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀ ଓ ରପ୍ତାନୀକାରୀ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଡିସେମ୍ବର 2020ରେ ଶେଷ ହୋଇଥିବା ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି  । ଆଜି କମ୍ପାନୀର ବୋର୍ଡସ୍ତରୀୟ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନୀ, 2020-21 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଗତ ତ୍ରୈମାସଠାରୁ 123 ପ୍ରତିଶତ ଅଭିବୃଦ୍ଧି ସହ 240 କୋଟି ଟଙ୍କା ନିଟ୍ ଲାଭ କରିଅଛି । ଗତ ତ୍ରୈମାସରେ ନିଟ୍ ଲାଭ 107 କୋଟି ଟଙ୍କା ଥିଲା ।

ଡିସେମ୍ୱର 2020 ଶେଷ ସୁଦ୍ଧା 9 ମାସର ନିଟ୍ ଲାଭ ଗତ ବର୍ଷ ଅନୁରୂପ ଅବଧିର ନିଟ୍ ଲାଭରେ ଦଶ ଗୁଣା ବୃଦ୍ଧି ଘଟି 364 କୋଟି ଟଙ୍କା ହୋଇଅଛି  । ଗତ ବର୍ଷର ଅନୁରୂପ ଅବଧିରେ ଏହା 35 କୋଟି ଟଙ୍କା ଥିଲା । ଏହି ତ୍ରୈମାସରେ କମ୍ପାନୀର ବିକ୍ରିଲବ୍ଧ ଆୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି 2414 କୋଟି ଟଙ୍କା ଲାଭ ହୋଇଅଛି, ଯାହା ଗତ ବର୍ଷର ଏହି ତ୍ରୈମାସରେ 2137 କୋଟି ଟଙ୍କା ଥିଲା ।

ନାଲକୋର ଆଲୁମିନା ହାଇଡ୍ରେଟର ମୋଟ ବିକ୍ରୟ ଅଭିବୃଦ୍ଧି ଘଟି 3.44 ଲକ୍ଷ ଟନ୍ ହୋଇ ଅଛି, ଯାହା ଗତ ବର୍ଷ ଏହି ତ୍ରୈମାସରେ 3.33 ଲକ୍ଷ ଟନ୍ ଥିଲା । ସେହିପରି ଆଲୁମିନିୟମ୍ ରପ୍ତାନୀ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ 9 ମାସରେ ଅଭିବୃଦ୍ଧି ଘଟି 1.38 ଲକ୍ଷ ଟନ୍ ହୋଇଅଛି ଯାହା ଗତ ବର୍ଷ ଏହି ଅବଧିରେ 0.50 ଲକ୍ଷ ଟନ୍ ଥିଲା ।

ଉତ୍ପାଦନ କ୍ଷେତ୍ରରେ, ନାଲକୋ 2020-21 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଆଶାଜନକ ଅଭିବୃଦ୍ଧି ହାସଲ କରିଛି, ଯଥା ବକ୍ସାଇଟ୍ ଉତ୍ପାଦନ 19.34 ଲକ୍ଷ ଟନ୍, ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ 5.55 ଲକ୍ଷ ଟନ୍, ଏବଂ ଆଲୁମିନିୟମ୍ ଉତ୍ପାଦନ 1.02 ଲକ୍ଷ ଟନ୍ ।

ଚଳିତ ଆର୍ଥିକ ବର୍ଷର ପ୍ରଥମ 9 ମାସରେ, ନାଲକୋ 53.48 ଲକ୍ଷ ଟନ୍ ବକ୍ସାଇଟ୍, 15.07 ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରିଥିବା ବେଳେ ଆଲୁମିନିୟମ୍ ଉତ୍ପାଦନ 3.06 ଲକ୍ଷ ଟନ୍ ଥିଲା ।

କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ କୋଭିଡ୍-19 ମହାମାରୀର ଭୟାନକ ପରିସ୍ଥିତିରେ ମଧ୍ୟ ନାଲକୋ ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ସାମନା କରି ସାମଗ୍ରିକ ଅଭିବୃଦ୍ଧି ଘଟାଇବାରେ ସକ୍ଷମ ହୋଇ ପାରିଛି । କର୍ମଚାରୀ ଏବଂ ଶ୍ରମିକମାନେ ମଧ୍ୟ ଏହି କଠୋର ପରିସ୍ଥିତିର ମୁକାବିଲା କରି ନିଜର କର୍ତ୍ତବ୍ୟପରାୟଣତା ଏବଂ କର୍ମନିଷ୍ଠା ପ୍ରଦର୍ଶନ କରିଛନ୍ତି । ବଜାର ଏବଂ ଅର୍ଥନୀତି କ୍ରମଶଃ ଉନ୍ମୁକ୍ତ ହେବା ସହିତ ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି, ଯେଉଁଥି ପାଇଁ କମ୍ପାନୀ ମଧ୍ୟ ପ୍ରସ୍ତୁତ ଅଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।  କମ୍ପାନୀର ବିଭିନ୍ନ ପ୍ରକଳ୍ପଗୁଡ଼ିକ ଯଥା ଉତ୍କଳ-ଡି କୋଇଲା ବ୍ଲକ୍, ଆଲୁମିନା ରିଫାଇନେରୀର 5ମ ଷ୍ଟ୍ରିମ୍ ସଂପ୍ରସାରଣ କାର୍ଯ୍ୟ ଏବଂ ଯୌଥ ଉଦ୍ୟୋଗରେ କଷ୍ଟିକ ସୋଡା ପ୍ଲାଣ୍ଟ ଆଦି କାର୍ଯ୍ୟକ୍ଷମ କରିବା ଉପରେ ଜୋର ଦେଇ ସେ କହିଛନ୍ତି ଯେ  ଏହା କମ୍ପାନୀର ଅଭିବୃଦ୍ଧି ତଥା ବ୍ୟବସାୟିକ ଲାଭରେ ଯଥେଷ୍ଟ ସହାୟକ ହେବ ।