ସିଏସ୍ଆର୍ କ୍ଷେତ୍ରରେ ଉତ୍କର୍ଷ ପାଇଁ ଜାତୀୟ ସିଏସ୍ଆର୍ ସମ୍ମାନ ପ୍ରଦାନ ସମାରୋହରେ ନାଲ୍କୋ ସମ୍ମାନିତ

ଭୁବନେଶ୍ୱର : ନାଲ୍କୋର ଅଲିଅଳି ଝିଅ ଭଳି କାର୍ଯ୍ୟକ୍ରମ ତଥା କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଭାରତର କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ନାମ ଜାତୀୟ ସିଏସ୍ଆର୍ ସମ୍ମାନରେ ସମ୍ମାନସ୍ପଦ ଉଲ୍ଲେଖ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ, ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ମାନ୍ୟବର କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ମାନ୍ୟବର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ ।

ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଉତ୍ସବରେ ନାଲ୍କୋର ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ବସନ୍ତ କୁମାର ଠାକୁର, ମାନ୍ୟବର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ସଫଳତା ପାଇଁ ନାଲ୍କୋ ସମୂଦାୟକୁ ଅଭିନନ୍ଦନ ଜଣାଇ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ୨୦୧୫ ମସିହାରେ ଆରମ୍ଭ ହୋଇଥିବା ନାଲ୍କୋର ଅଲିଅଳି ଝିଅ କାର୍ଯ୍ୟକ୍ରମ ଆଜି ଜାତୀୟ ସ୍ତରରେ ସ୍ୱିକୃତୀ ପାଇଛି ଏବଂ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନାଲ୍କୋକୁ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟଙ୍କ ଠାରୁ ପୁରସ୍କାର ମିଳିଛି, ଯାହା କି ଏକ କମ୍ପାନୀ ପାଇଁ ଏକ ଗୌରବର ବିଷୟ । ନାଲ୍କୋର ଅଲିଅଳି ଝିଅ କାର୍ଯ୍ୟକ୍ରମଟି ବାଳିକାମାନଙ୍କ ଶିକ୍ଷା ଏବଂ ମହିଳା ସଶକ୍ତିକରଣ ଦିଗରେ କମ୍ପାନୀର ଏକ ଅନନ୍ୟ ପ୍ରୟାସ । ଏଥି ପାଇଁ ସେ ନାଲ୍କୋ ତଥା ନାଲ୍କୋ ଫାଉଣ୍ଡେସନ୍ର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ନାଲ୍କୋର ଅଲିଅଳି ଝିଅ ଯୋଜନା ଅଧିନରେ ବାଳିକାମାନଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ଜୀବନରେ ସ୍ୱାବଲମ୍ବୀ କରିବା ପାଇଁ ସହଯୋଗ କରାଯାଉଛି । ଏଯାବତ୍, ନାଲ୍କୋ ପକ୍ଷରୁ ଅନଗୁଳ ଓ ଦାମନଯୋଡ଼ି ଅଂଚଳର ୬୬ ଗ୍ରାମରୁ ୪୧୬ ଜଣ ଛାତ୍ରୀଙ୍କୁ ୪୫ଟି ବିଦ୍ୟାଳୟରେ ନାଲ୍କୋର ଅଲିଅଳି ଝିଅ ଭାବେ ଗ୍ରହଣ କରାଯାଇ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ, ବେଟି ପଢାଓ କାର୍ଯ୍ୟକ୍ରମ ଅଧିନରେ ନାଲ୍କୋର ଅଲିଅଳି ଝିଅ ଯୋଜନା ଆରମ୍ଭ ହୋଇଥିଲା । ସଂପ୍ରତି, ନାଲ୍କୋ ଏହି ଯୋଜନାକୁ ସମଗ୍ର ଭାରତରେ ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହା ଦ୍ୱାରା ଓଡ଼ିଶାର ଦରିଦ୍ର ପରିବାରର ଛାତ୍ରୀ, ଦେଶର ଅନ୍ୟ କେତେକ ଜିଲ୍ଲା ଏବଂ ନାଲ୍କୋର ପାରିପାଶ୍ୱିର୍କ ଗ୍ରାମର ବାଳିକାମାନଙ୍କୁ ଲାଭାନ୍ୱିତ କରିବା ପାଇଁ ଉଦ୍ୟମ କରାଯାଉଛି । ନାଲ୍କୋର ଅଲିଅଳି ଝିଅ କାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ନିକଟରେ ନାଲ୍କୋ ପକ୍ଷରୁ କର୍ମଚାରୀ ସାମାଜିକ ଦାୟିତ୍ୱବୋଧ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ଅନୁସାରେ, କର୍ମଚାରୀମାନେ ସାମାଜିକ କଲ୍ୟାଣ ପାଇଁ କମ୍ପାନୀର ପଦକ୍ଷେପରେ ସାମିଲ ହୋଇପାରିବେ । କର୍ମଚାରୀ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧିନରେ କର୍ମଚାରୀମାନେ ନାଲ୍କୋର ଅଲିଅଳି ଝିଅଙ୍କ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରିବାର ସୁଯୋଗ ପାଇଛନ୍ତି । ଏହା ଦ୍ୱାରା କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧିକ ସମୃଦ୍ଧ ହେବ ।