ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର : ନାଲକୋକୁ ମିଳିଲା ଉତ୍କଳ-ଇ କୋଇଲା ଖଣି ଲିଜ

ବାର୍ଷିକ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି

ଭୁବନେଶ୍ୱର  : ନାଲକୋକୁ ଉତ୍କଳ-ଇ କୋଇଲା ଖଣିର ଲିଜ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର । ଏ ନେଇ ଗତ ୧୨ ତାରିଖରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରାୟ ୫୨୩.୭୬ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି କୋଇଲା ବ୍ଲକ ଅନିଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଅବସ୍ଥିତ । ଏହି କୋଇଲା ବ୍ଲକରେ ପ୍ରାୟ ୭୦ ନିୟୁତ ଟନ କୋଇଲା ଗଚ୍ଛିତ ଥିବା ଅନୁମାନ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରୁ ବାର୍ଷିକ ୨ ନିୟୁତ ଟନ କୋଇଲା ଉତ୍ପାଦନ କରିହେବ । ଗତ ବର୍ଷ ଏପ୍ରିଲରେ ରାଜ୍ୟ ସରକାର ନାଲକୋକୁ ଉତ୍କଳ-ଡି କୋଇଲା ଖଣି ଲିଜ ପ୍ରଦାନ ଲାଗି ବିଜ୍ଞପ୍ତି ଜାରି କରିଥିଲେ । ଏହି ଖଣି ମଧ୍ୟ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଅବସ୍ଥିତ । ସର୍ବମୋଟ ୧୦୧.୬୮ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉଭୟ ଉତ୍କଳ ଡି ଓ ଇ କୋଇଲା ବ୍ଲକ ମିଳିବା ପରେ ନାଲକୋ ପାଖରେ ମୋଟ ୧୭୫ ନିୟୁତ ଟନର ଖନନ ଯୋଗ୍ୟ କୋଇଲା ଖଣି ଉପଲବ୍ଧ ହେବ । ଏହା ଦୀର୍ଘ ମିଆଦୀ ଭିତ୍ତିରେ ନାଲକୋର କୋଇଲା ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ ।