ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ,  ବେଶ ଦର୍ଶନରୁ ଭକ୍ତ-ଶ୍ରଦ୍ଧାଳୁ ବଞ୍ଚିତ

ପୁରୀ:  ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏ ନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ୨୬ ବର୍ଷ ପରେ ଆଜି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ବୀର ବେଶ ବା ପର୍ଶୁରାମ ବେଶ ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି, ଅବକାଶ ଓ ମଇଲମ ପରେ ବେଶ ଅନୁଷ୍ଠିତ ହୋଇଛି ନାଗାର୍ଜୁନ ବେଶ । ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ନାଗା ବେଶ‌ରେ ସଜ୍ଜିତ ‌ହୋଇଥିବା. ବେଳେ ଦେବୀ ସୁଭଦ୍ରା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଭୂଷିତା ହୋଇ ତ୍ରିଭୁବନେଶ୍ବରୀ ବେଶରେ ସଜ୍ଜିତା ହୋଇଛନ୍ତି।  ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଛ ମହାପାତ୍ର, ତଳିଛ ମହାପାତ୍ରଙ୍କ ଉପସ୍ଥିତିରେ ପୁଷ୍ପାଳକ ସେବକମାନେ ଏହି ବେଶ କରାଇଛନ୍ତି। ଏଥି‌ରେ ଖୁଣ୍ଟିଆ ଓ ମେକାପ ସେବକମାନେ ସହାୟତା କରିଥିବା ବେଳେ ଏହା ଏକ ଜଜମାନି ବେଶ ହୋଇଥିବା ହେତୁ ବେଶ ସାମଗ୍ରୀ ଯୋଗାଣକାରୀ ଦାତା, ବେଶ କାରିଗର ଉପସ୍ଥିତ ରହିଥିଲେ ।

ଆଜି ନାଗାର୍ଜୁନ ବେଶରେ ହାଣ୍ଡିଆ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜାଇ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଖଞ୍ଜି ଦିଆଯାଇଛି । ହାଣ୍ଡିଆ ଉପରେ ପାଉଳି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟ, ଚନ୍ଦ୍ର ଇତ୍ୟାଦିରେ ସଜିତ ହୋଇଛି। ମହାପ୍ରଭୁଙ୍କ ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନ ଖଂଜା ଯାଇଛି। ପ୍ରାରମ୍ଭରେ ବେଶକାରୀମାନେ ଠାକୁରମାନଙ୍କୁ ପାଟବସ୍ତ୍ର, ସିରକାପଡ଼ା, ଫୁଟା ପହରଣ, ବଳା ଇତ୍ୟାଦି ଲାଗି କରିବା ପ‌‌‌ରେ ସିଲ୍‌କ କନାରେ ପ୍ରସ୍ତୁତ ବେଶ ପିନ୍ଧାଇଥିଲେ।

nagarjuna besa in puri srimandir 2020
ସୂଚନାଯୋଗ୍ୟ, ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ । ମହାପ୍ରଭୁଙ୍କ ସୁନାଅଳଙ୍କାର ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଥିଲା । ସୂଚନା ଅନୁସାରେ ଭଣ୍ଡାର ମେକାପ ଓ ଖୁଂଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଅଧିକ ସଂଖ୍ୟକ ସେବାୟତ ନିୟୋଜନ ନେଇ ବିବାଦ ହୋଇଥିଲା ଓ ପରେଶ୍ରୀମନ୍ଦିର ପ୍ରଶାସକଙ୍କ ହସ୍ତକ୍ଷେପ ଓ ବୁଝାଶୁଝା ପରେ ଆରମ୍ଭ ହୋଇଥିଲା ବେଶ ଲାଗି ।

ନାଗାର୍ଜୁନ ବେଶର ବିଶେଷତ୍ବ ହେଲା, ଏହା ସବୁ ବର୍ଷ ପଡ଼ିନଥାଏ। ମହାପ୍ରଭୁଙ୍କ ଅନ୍ୟ ବେଶ ପ୍ରତି ବର୍ଷ ପଡ଼ୁଥିବା ବେଳେ କେବଳ ନାଗାର୍ଜୁନ ଓ ରଘୁନାଥ ବେଶ ବହୁ ବର୍ଷର ଅନ୍ତରରେ ପଡ଼ିଥାଏ। ସେଥି ପାଇଁ ବେଶକୁ ‌ନେଇ ଉତ୍ସୁକତା ଥାଏ। ୧୯୯୪ରେ ଶେଷ ଥର ପାଇଁ ଏହି ବେଶ ପଡ଼ିଥବା ବେଳେ ୨୬ ବର୍ଷ ପରେ ଚଳିତ ବର୍ଷ ଏ‌ ବେଶ ପଡ଼ିଛି। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ପାଞ୍ଚ ଦିନ ନ ହୋଇ ୬ ଦିନ ପଡ଼ିଥାଏ, ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପଞ୍ଚକର ଯେଉଁ ତିଥିରେ ମଳ ପଡ଼େ, ସେହି ମଳ ତିଥିରେ ହିଁ ଠାକୁରମାନଙ୍କ ନାଗାର୍ଜୁନ ବେଶ କରାଯାଏ। ଏଥର ଦ୍ବାଦଶୀରେ ମଳ ତିଥି ଥିବାରୁ ଆସନ୍ତାକାଲି ଏହି ବେଶ ହେଉଛି।

ତେବେ ଏହି ମଳ ତିଥି ପଡ଼ୁଥିବା ଦିବସର ନିର୍ଦ୍ଧାରଣ ବେଳେ ନିର୍ଦ୍ଦିଷ୍ଟ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ। ସୂର୍ଯ୍ୟ ଗୋଟିଏ ଦିନ ପରିବର୍ତ୍ତେ ଦୁଇ ଦିନ ଭୋଗ କଲେ ଅର୍ଥାତ ପୂର୍ବ ଦିନ ଓ ପରଦିନ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ସମୟକୁ ମଳ ତିଥି କୁହାଯାଏ। ସୁତରାଂ ଯେଉଁ ବର୍ଷ କାର୍ତ୍ତିକ ମାସ ପଞ୍ଚକ ମଳ ତିଥି ୬ ଦିନ ହୁଏ, ସେହି ବର୍ଷ ମଳ ତିଥିରେ ହିଁ ନାଗାର୍ଜୁନ ବେଶ କରାଯିବାର ପରମ୍ପରା ରହିଛି।

nagarjuna besa in puri srimandir 2020