ସପ୍ତମ ବେତନ କମିସନ୍‌ଙ୍କ ସୁପାରିଶ ଅନୁସାରେ ପୌର କର୍ମଚାରୀଙ୍କୁ ମିଳିବ ଦରମା : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟର ସମସ୍ତ ପୌର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନ୍‌ଙ୍କ ସୁପାରିଶ ଅନୁସାରେ ଦରମା ମିଳିବ ବୋଲି ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଲ୍ଲିକୋଟ୍‌ ଷ୍ଟାଡିୟମ୍‌ ଠାରେ ଆୟୋଜିତ ଜନସମାବେଶରେ କହିଛନ୍ତି। ନବୀନ ଓଡ଼ିଶା ପାଇଁ ନୂଆ ସହରାଞ୍ଚଳ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ରବିବାର ପୂର୍ବାହ୍ନ ୧୦: ୫୦ ରେ ଖଲ୍ଲିକୋଟ ଷ୍ଟାଡିୟମ୍‌ ଠାରେ ବ୍ରହ୍ମପୁର ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପର (ପ୍ରଥମ ପର‌୍ୟ୍ୟାୟ) ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏକଥା ଘୋଷଣା କରିଛନ୍ତି। ବିଭିନ୍ନ ଓ୍ଵାର୍ଡ ପାଇଁ ପ୍ରଯୁଜ୍ୟ ୪୩୧ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପର ଦ୍ୱିତୀୟ ପର‌୍ୟ୍ୟାୟ ମାର୍ଚ ୩୧, ତୃତୀୟ ପର‌୍ୟ୍ୟାୟ ଏପ୍ରିଲ୍‌ ୩୦ ଏବଂ ଚତୁର୍ଥ ପର‌୍ୟ୍ୟାୟ ମେ ୩୧, ୨୦୧୯ ସୁଦ୍ଧା ଶେଷ ହେବ। ଏହା ଯୋଗୁଁ ସହରାଞ୍ଚଳର ୩. ୭୦ ଲକ୍ଷ ଏବଂ ଗ୍ରାମାଞ୍ଚଳର ୧. ୩୧ ଲକ୍ଷ ଜନସାଧାରଣ ଉପକୃତ ହେବେ। ୧୬ଟି ଗ୍ରାମପଞ୍ଚାୟତ ୫୩ଟି ଗାଁ, ଧରାକୋଟ, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍‌ ଏହାଦ୍ୱାରା ଉପକୃତ ହେବେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତିକରଣ କାର‌୍ୟ୍ୟର ଶିଳାନ୍ୟାସ କରିଛନ୍ତି। ଏହି ଯୋଜନାରେ ସମଗ୍ର ରାଜ୍ୟର ସହରାଞ୍ଚଳରେ ୨୦୦ଟି ସ୍ମାର୍ଟ ପାର୍କ ୬ ମାସ ମଧ୍ୟରେ ୨୦୦ କୋଟି ଟଙ୍କା ବ୍ୟାୟରେ ନିର୍ମାଣ କରାଯିବ। ଏହାଛଡ଼ା ୨୦୦ କୋଟି ଟଙ୍କା ବ୍ୟୟରେ ସହରାଞ୍ଚଳଗୁଡ଼ିକରେ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଯିବ। ଆଜିର ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ସମସ୍ତ ବିଧାୟକ, ଜିଲ୍ଲାପାଳ ଏବଂ ନଗର ଉନ୍ନୟନ ସଚିବ ଉପସ୍ଥିତ ଥିଲେ।