ଏପ୍ରିଲ ୨ରେ ଦିଆଯିବ କାଳିଆ ଯୋଜନାର ୨ୟ କିସ୍ତି ଟଙ୍କା: ମୁଖ୍ୟମନ୍ତ୍ରୀ

ଯାଜପୁର: କାଳିଆ ଯୋଜନା ଦେଶକୁ ବାଟ ଦେଖାଉଛି । ଏହି ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଏପ୍ରିଲ ୨ରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବଡଚଣାଠାରେ ଆୟୋଜିତ ହୋଇଥିବା ଜନସମାବେଶରେ ଯୋଗ ଦେଇ ଘୋଷଣା କରିଛନ୍ତି । ଯାଜପୁର ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ୍‌ କ୍ୟାମ୍ପସ୍‌, ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତାର ବଡ଼ଗେଙ୍ଗୁଟି ନଦୀ ଉପରେ ହାଇଲେଭଲ୍‌ ସେତୁ, ସୁକଦେଈପୁର-ଡିହକରଣ୍ଡା ରାସ୍ତାରେ ସାନଗେଙ୍ଗୁଟି ନଦୀ ଉପରେ ହାଇଲେଭଳ୍‌ ସେତୁ, ବାଇଶିମୌଜା ଧନଞ୍ଜୟ ବିଦ୍ୟାପୀଠ ଠାରେ ୧୦୦ ସିଟ୍‌ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲ୍‌, ବଡ଼ଚଣା ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସ୍ତମ୍ଭ ଓ ଚଣ୍ଡିଖୋଲ ଠାରେ ଜିଲ୍ଲା ଅଡିଟ୍‌ କାର‌୍ୟ୍ୟାଳୟ ଆଦି ପ୍ରାୟ ୧୦୯ କୋଟି ଟଙ୍କାର ଏହି ୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହାଛଡ଼ା ସେ ବନ୍ଦାଳୋ-ଏଣ୍ଡରପଡ଼ା ରାସ୍ତାର ଉନ୍ନତିକରଣ, ଲଳିତଗିରି-ଉଦୟଗିରି-ରତ୍ନଗିରି ରାସ୍ତାର ଉନ୍ନତିକରଣ, ସାନଗେଙ୍ଗୁଟି ନଦୀବନ୍ଧ ସୁରକ୍ଷା ପ୍ରକଳ୍ପ, ବାଲିଚନ୍ଦ୍ରପୁର ଗ୍ରିଡ୍‌ ସବ୍‌ଷ୍ଟେସନ୍‌, ଭୁବନପୁର-ଜଗନ୍ନାଥପୁର ରାସ୍ତା ସାନଗେଙ୍ଗୁଟି ନଦୀ ହାଇଲେଭଲ୍‌ ସେତୁ ଆଦି ୪୩ କୋଟି ୪୯ ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।