ଭିଡିଓ କନଫରେନ୍ସିଂ ଜରିଆରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଯାଜପୁର ଜିଲ୍ଲାର ବଡଚଣା ବ୍ଲକର ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ,ପର‌୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ରୀତା ତରାଇ, ବିଧାୟକ ଅମରପ୍ରସାଦ ଶତପଥୀ,ଦେବାଶିଷ ନାୟକ, ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼େଇ ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଖୋଲି ଥିବା ଏହି ଅସ୍ଥାୟୀ କ୍ୟାମ୍ପସରେ ଦୁଇଟି ବିଭାଗରେ ୪୮ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ। ଇତିମଧ୍ୟରେ ଏମ୍ଏ ଇନ୍ ପବ୍ଲିକ ହେଲ୍ଥ, ଏମ୍ବିଏ ଇନ୍ ରୁରାଲ ମ୍ୟାନେଜ୍ମେଣ୍ଟରେ ନାମଲେଖା ଶେଷ ହୋଇଛି। ଉଭୟ ବିଭାଗରେ ୨୪ଜଣ ଲେଖାଏଁ ନାମ ଲେଖାଇଛନ୍ତି। ପଢ଼ାଇବା ପାଇଁ ପ୍ରତି ବିଭାଗରେ ୩ ଜଣ ଲେଖାଏଁ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପିଲାମାନଙ୍କ ପାଠପଢ଼ା ପାଇଁ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ୩ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି। କ୍ଲାସ ରୁମ୍ ସହ ଉନ୍ନତମାନର ପାଠଗାର ପ୍ରତିଷ୍ଠା ହୋଇଛି। ତେବେ ଅସ୍ଥାୟୀ କ୍ୟାମ୍ପସରେ ରହିବା ଲାଗି ହଷ୍ଟେଲ ସୁବିଧା ହୋଇନି। ଏବେ ଛାତ୍ରଛାତ୍ରୀ ସମ୍ପୃକ୍ତ ମହାବିଦ୍ୟାଳୟ ହଷ୍ଟେଲରେ ରହିବେ। ଉଦଘାଟନ ସମୟରେ ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥବା ଜଣାପଡ଼ିଛି।