ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ(ଆରଟିଓ) ଗଣେଶ୍ୱର କହଁର । ଗଣେଶ୍ୱରଙ୍କ ଭଡାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ସୂଚନା ମିଳିଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗଣେଶ୍ୱର କହଁରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି।

ନବରଙ୍ଗପୁରରେ ଥିବା ଗଣେଶ୍ୱରଙ୍କ ଭଡ଼ା ଘର ସହ ଅଫିସ, ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ ଚାଲିଛି।

ଗତ ୨୧ ତାରିଖରେ ଆର୍‌ଟିଓ ଗଣେଶ୍ୱରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଗଣେଶ୍ୱର ଟଙ୍କା ଫେରାଇବା ପାଇଁ ନିଜ କାର୍ଯ୍ୟାଳୟର ଜଣେ ବ୍ୟକ୍ତିଙ୍କୁ କହୁଥିବା ସାମ୍ନାକୁ ଆସିଥିଲା। ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଥିଲେ। ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା। ସ୍ଥାୟୀ ଚାକିରି କରାଇ ଦେବାକୁ ଜଣେ ଯୁବକଙ୍କଠାରୁ ନେଇଥିବା ଲାଂଚ ଟଙ୍କା ସମ୍ପର୍କରେ ବଖାଣି ଏପରି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି  ଆର୍‌ଟିଓ ଗଣେଶ୍ୱର।