୨୦୨୨ ସୁଦ୍ଧା ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନାକ୍‌ ମାନ୍ୟତା

ଭୁବନେଶ୍ବର : ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ୨୦୨୨ ସୁଦ୍ଧା ନାକ୍‌ ମାନ୍ୟତା ହାସଲ କରିବେ। ମାନ୍ୟତା ପାଇବା ଲାଗି ଯେଉଁ ମାନଦଣ୍ଡ ରଖାଯାଇଛି ସେହି ଆବଶ୍ୟକତା ପୂରଣ କରିବା ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ ନେବା ଜରୁରୀ ବୋଲି କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଟ୍‌ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଲେ ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପ୍ରତି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇଣ୍ଟରନାଲ କ୍ବାଲିଟି ଆସୁରାନ୍ସ ସେଲ୍‌ ପ୍ରତିଷ୍ଠା କରାଯିବା ସହ ଏହାକୁ ସୁଦୃଢ଼ କରାଯିବ। ଏହି ସେଲ୍‌ ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ହାସଲ ଦିଗରେ ସମସ୍ତ ଦସ୍ତାବିଜ୍‌ ପ୍ରସ୍ତୁତ କରିବ। ଏଥିସହ ଆଞ୍ଚଳିକ ନିର୍ଦେଶକଙ୍କ ସ୍ତରରେ କର୍ମଶାଳା ଆୟୋଜନ ସହ ଏକ ମାଷ୍ଟର ଡାଟାବେସ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ। ଏହି ଅବସରରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ କିଭଳି ନାକ୍‌ ମାନ୍ୟତା ହାସଲ କରିପାରି‌ବେ, ସେ ଦିଗରେ ନାକ୍‌ ସଦସ୍ୟମାନେ ଆବଶ୍ୟକ ପରାମର୍ଶ ଦେଇଥିଲେ। ବୈଠକରେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ବତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ନାକ୍‌ର ସଦସ୍ୟମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ନାକ୍‌ ପକ୍ଷରୁ ପ୍ରତ୍ୟେକ ରାଜ୍ୟସ୍ତରରେ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଓଡ଼ିଶା ଦେଶର ୧୪ତମ ରାଜ୍ୟ, ଯାହାର ରିପୋର୍ଟ ପ୍ରସ୍ତୁତ ହେଉଛି। ଏଥିରେ ଓଡ଼ିଶା ଭୌଗୋଳିକ ସ୍ଥିତି, ଉଚ୍ଚଶିକ୍ଷାର ମାନ, ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ନାକ୍‌ ମାନ୍ୟତାର ସ୍ଥିତି, ଜାତୀୟସ୍ତରରେ ସ୍ଥିତି ଓ ଶିକ୍ଷାନୁଷ୍ଠାନର ନାକ୍ ମାନ୍ୟତାକୁ ବୃଦ୍ଧି ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍‌ ମାନ୍ୟତା ପାଇବା ଦିଗରେ ଏକ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ।