ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ : ମୂର୍ତ୍ତି ଉଚ୍ଚତା ବଢିବନି

ଭୁବନେଶ୍ୱର  : ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ବାଲୁ ବଜାର ପୂଜା କମିଟିର ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ । ମୂର୍ତ୍ତି ଉଚ୍ଚତା ବଢିବନି ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ମହାମାରୀ ବେଳେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି । କେବଳ ଗୋଟିଏ ପୂଜା ମଣ୍ଡପକୁ ଅନୁମତି ଦେଇ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଗତବର୍ଷ ଏକ ମାସ ଆଗରୁ ମୂର୍ତ୍ତି ନିର୍ମାଣ ହୋଇସାରିଥିଲା । ତେଣୁ ୯ ପୂଜା ମଣ୍ଡପରେ ମୂର୍ତ୍ତି ବଡ଼ କରିବା ଲାଗି ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ବାଲୁ ବଜାର ପୂଜା କମିଟି ତରଫରୁ ଦାୟର ହୋଇଥିବା ପିଟିସନରେ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବା ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରାଯାଇଥିଲା । ଗୁରୁବାର ମାମଲାର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ ।
ଗତବର୍ଷ ମଧ୍ୟ ହାଇକୋର୍ଟରେ ମାମଲା ଦାୟର କରିଥିଲା ବାଲୁ ବଜାର ଦୁର୍ଗା ପୂଜା କମିଟି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୭ଟି କମିଟି ଉଚ୍ଚ ମୂର୍ତ୍ତି କରିଥିବା ବେଳେ ଅନ୍ୟ କମିଟି ୪ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରିଥିଲେ । ଅଗଷ୍ଟ ୯ ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ଅନ୍ୟ ସମସ୍ତ ଗାଇଡ଼ଲାଇନକୁ ମାନି ପୂଜା କରିବାରେ କୌଣସି ସମସ୍ୟା ନଥିବା ବାଲୁ ବଜାର ଦୁର୍ଗାପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦର୍ଶାଇଥିଲେ ।