ଜମି ବିବାଦକୁ ନେଇ ସଂଘର୍ଷ; ୪ ମୃତ

ରାଉଲକେଲା: ସୁନ୍ଦରଗଡ ଜିଲ୍ଲାର ସୀମାବର୍ତୀ ଅଂଚଳରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ୪ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଓଡିଶା ସୀମାନ୍ତରେ ଥିବା ବୀରମିତ୍ରପୁରଠାରୁ ପ୍ରାୟ ୪୦କି.ମି.ଦୂରସ୍ଥ ସୁନ୍ଦରଗଡ଼ ଜିଲ୍ଲାର ସମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁରଡେଗ ଥାନାର ମହୁଆଡ଼ିହିରେ ଜମି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଛି। ସିମଡେଗା ଜିଲ୍ଲାର ମହୁଆଡ଼ିହି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଏକ ଜମିଜମା ବିବାଦ ଲାଗି ରହିଥିଲା। କିନ୍ତୁ ଏହାର ଆପୋଷ ବୁଝାମଣା ହୋଇଥିଲା ।

ଗୁରୁବାର ସକାଳ ପ୍ରାୟ ସାଢେ ୬ଟା ସମୟରେ ଘଟଣା ଦିନ ମହୁଆକୁ ବାଛିବା ନେଇ ଏକ ବିବାଦ ଦେଖା ଦେଇଥିଲା, ଯାହା ଏକ ରକ୍ତାକ୍ତ ବିବାଦରେ ପରିଣତ ହୋଇଥିଲା ।

ଏଥିରେ ମା ଓ ପୁଅଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି l ଏଥିରେ ଗୋଟିଏ ଗୋଷ୍ଠୀର ଲେନବତୀ ଦେବୀ (୫୦) ଓ ତାଙ୍କ ପୁଅ ସୁନୀଲ ଯାଦବ (୧୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋଷ୍ଠୀର ବିତଲ ଯାଦବ (୬୦) ଏବଂ ମହେନ୍ଦ୍ର ଯାଦବ (୫୫) ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଖବର ପାଇ କୁରଡେଗ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।