ଜେଲରେ ହତ୍ୟା : ଭୁଲରେ ରାମ ଦାସ ଭାବି ରାମ ସେନାପତିଙ୍କୁ ଧରି ଜେଲରେ ପୁରାଇଥିଲା ପୋଲିସ ବୋଲି ଅଭିଯୋଗ,ବାଲେଶ୍ୱରରେ ଉତ୍ତେଜନା

ବାଲେଶ୍ବର : ବାଲେଶ୍ବରରେ ଜଣେ ବିଚାରାଧୀନ କଏଦୀର ହତ୍ୟାକୁ ନେଇ ତେଜିଛି ବିବାଦ। ବାଲେଶ୍ବର ଜେଲ୍ ରେ ଆଜୀବନ କାରଦାଣ୍ଡ ଭୋଗୁଥିବା ଜଣେ କଏଦୀର ପଥର ଆକ୍ରମଣରେ ବିଚରାଧୀନ କଏଦୀ ର ମୃତ୍ୟୁ ହୋଇଥିବା ବେଳେ ସାଂଘାତିକ କଥା ପୁଣି ସାମ୍ନାକୁ ଆସିଛି। ମୃତ କଏଦୀ ରାମ ଚନ୍ଦ୍ର ଦାଶ ବୋଲି ପ୍ରଥମେ କୁହାଯାଇଥିଲା। ଅସୁସ୍ଥ ହେବାରୁ ତାଙ୍କୁ ଜେଲ୍ ରେ ଚିକିତ୍ସା ପାଇଂ ରଖାଯାଇଥିଲା। କିନ୍ତୁ ସେଠାରେ ଆଜୀବନ କାରଦଣ୍ଡ ସଜା ପାଉଥିବା ଶରତ ଚନ୍ଦ୍ର ଗିରି ରାମଚନ୍ଦ୍ରକୁ ପଥରରେ ଛେଚି ହତ୍ୟା କରିଥିଲା। ଏହି ସମୟରେ ରାମଚନ୍ଦ୍ର ଦାଶଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। କିନ୍ତୁ ପରେ ପରେ ଜଣା ପଡ଼ିଥିଲା ଯେ ମୃତ ବ୍ୟକ୍ତି ହେଉଛନ୍ତି ରାମ ଚନ୍ଦ୍ର ସେନାପତି।

ସତ ଖୋଳୁ ଖୋଲୁ ଆହୁରି ସାଂଘାତିକ କଥାର ଅଭିଯୋଗ ହୋଇଛି ଯେ ପୋଲିସ ରାମଚନ୍ଦ୍ର ଦାଶଙ୍କ ବଦଳରେ ରାମଚନ୍ଦ୍ର ସେନାପତିଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା। ବେଆଇନ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ପୋଲିସ ରାମଚନ୍ଦ୍ର ଦାଶଙ୍କୁ ଖୋଜୁଥିବା ବେଳେ ରାମଚନ୍ଦ୍ର ସେନାପତିଙ୍କୁ ଗିରଫ କରିଥିଲା। ୯ ତାରିଖରୁ ଗିରଫ ହୋଇଥିବା ୬୫ ବର୍ଷିୟ ରାମଚନ୍ଦ୍ର ସେନାପତି ଜେଲ୍ ରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜେଲ୍ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତେବେ ଏକ ହତ୍ୟା ଅଭିଯୋଗରେ ୨୦୦୯ରୁ ଗିରଫ ହୋଇଥିବା ଶରତ ଗିରିକୁ ମଧ୍ୟ ସେଠାରେ ଚିକିତ୍ସା ପାଇଁ ରଖାଯାଇଥିଲା।

ଶରତ ମାନସିକ ବିକୃତି ଥିବା ଜାଣି ସୁଦ୍ଧା ତା ପ୍ରତି ନିଘା ରଖାଯାଇନଥିଲା। ଫଳ ହୋଇଥିଲା ଶରତର ଆକ୍ରମଣରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହେଲା। ଘଟଣା ଜଣା ପଡ଼ିଥିଲା ସେତେବେଳେ ଯେତେବେଳେ ରାମଚନ୍ଦ୍ରଙ୍କ ଘର ଲୋକ ଆସିଥିଲେ। ଏବଂ ୯ ତାରିଖରୁ ଗିରଫ ହେବା ପରଠାରୁ ଅନ୍ଧାରରେ ଥିବା ରାମଚନ୍ଦ୍ର ସେନାପତିଙ୍କ ପରିବାରପ ଲୋକେ ଅଭିଯୋଗ କରିଛନ୍ତି ଯେ ପୋଲିସ ରାମଚନ୍ଦ୍ର ଦାଶ ବଦଳରେ ତାଙ୍କୁ ଗିରଫ କଲା। ଖାଲି ସେତିକି ନୁହେଁ ଏବେ ତାଙ୍କୁ ହତ୍ୟା କରାଯାଇଛି। ପ୍ରଶ୍ନ ଉଠୁଛି ରାମଚନ୍ଦ୍ର ସେନାପତିଙ୍କ ମୃତ୍ୟୁ ପାଇଁ କାହିଁକି ପୋଲିସ ଦାୟୀ ହେବନି। ଭୁଲ୍ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ସତ ହୋଇଥିଲେ ଏହା ସାଂଘାତିକ। ତା ଛଡ଼ା ଜଣେ ବିଚାରାଧୀନ କଏଦୀକୁ ଜେଲ୍ ଭିତରେ ହତ୍ୟା କରାଯାଉଛି ଏନେଇ ଜେଲ୍ କର୍ତ୍ତୃପକ୍ଷ କାହିଁକି ଦାୟୀ ନ ହେବେ?