ଦାମି ମୋବାଇଲ ପାଇଁ ସାଙ୍ଗକୁ ପିଟି ପିଟି ମାରିଦେଲା ୧୨ ବର୍ଷର ସାଙ୍ଗ

ଯୋଡ଼ା : କେନ୍ଦୁଝର ଯୋଡ଼ା ଥାନା ଲହଣ୍ଡା କଳାପାହାଡ଼ ନିକଟରେ ନାବାଳକ ଚନ୍ଦନ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ମୋବାଇଲ ପାଇଁ ଚନ୍ଦନକୁ ତା’ର ଜଣେ ସାଙ୍ଗ ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣେ ନାବାଳକ । ଚନ୍ଦନକୁ ହତ୍ୟା କରିଥବା ସ୍ବୀକାର କରିବା ପରେ ଯୋଡ଼। ପୋଲିସ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି । ମଙ୍ଗଳବାର ଅପରାହ୍ନରେ ଚନ୍ଦନ ତାର ସାଙ୍ଗ ସହିତ କୁକୁଡ଼ା ମାଂସ କିଣିବା ପାଇଁ ସ୍ଥାନୀୟ କଳାପାହାଡ଼ ଗାଁକୁ ଯାଇଥିଲେ । ତେବେ ଗତକାଲି ଚନ୍ଦନକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ବେଳେ ବେକରେ ଏକ ଗଞ୍ଜି ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ଡାକ୍ତରଖାନା ନେବା ସମୟରେ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା । ତେବେ ଚନ୍ଦନ ପାଖରେ ଥିବା ମୋବାଇଲ ଫୋନ୍ ହିଁ ତା’ର ମୃତ୍ୟୁର କାରଣ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ଚନ୍ଦନ ତା ପାଖରେ ଥିବା ମୋବାଇଲ୍ ଫୋନ ସାଙ୍ଗମାନଙ୍କୁ ଦେଉନଥିବାରୁ ଏଥିରେ ଜଣେ ସାଙ୍ଗ ଉତ୍ୟକ୍ତ ହୋଇ ତାକୁ ହତ୍ୟା କରିଥିଲା । ପ୍ରଥମେ ଚନ୍ଦନର ମୁଣ୍ଡକୁ ପିଟିବା ସହିତ ବୁଦା ଭିତରକୁ ନେଇ ବେକରେ ନିଜ ଗଞ୍ଜି ଲଗାଇ ଚିପି ଦେଇଥିଲା ।