ବିଫଳ ପ୍ରେମିକର ଉନ୍ମତ କାଣ୍ଡ: ପ୍ରେମିକାର ବାପା ମାକୁ ମାରିଦେଲା

ଭଦ୍ରକ : ଏକତରଫା ପ୍ରେମ କରି ବିଫଳ ହେବା ପରେ ଜଣେ ଉନ୍ମତ ପ୍ରେମିକ ବୁଧବାର ସନ୍ଧ୍ୟାରେ ଝିଅର ବାପା, ମାଆଙ୍କୁ କାଠଫାଳିଆ ପିଟି ହତ୍ୟା କରିଛି । କାଠଫାଳିଆ ମାଡ଼ରେ ମୃତ ଦମ୍ପତିଙ୍କ ସାନ ଝିଅ ମଧ୍ୟ ଆହତ ହୋଇଛନ୍ତି । ଏହିଭଳି ଏକ ଅମାନବୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଛି । ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ତାର ବାପାଙ୍କୁ ଗିରଫ ଦାବି କରି ଶବକୁ ଗ୍ରାମରେ ଅଟକାଇ ରଖିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଫାଣ୍ଡି ଅଞ୍ଚଳର ମାଲବାଡ଼ ଗ୍ରାମର ତ୍ରିଲୋଚନ ସେନାପତି ତାଙ୍କ ପଡ଼ୋଶୀ ସୁଧାକର ବିଶ୍ୱାଳଙ୍କ ବଡ଼ ଝିଅକୁ ଏକତରଫା ପ୍ରେମ କରିବା ସହିତ ତାଙ୍କୁ ବିବାହ କରିବାକୁ ଜିଦ୍ କରିଥିଲେ । ମାତ୍ର ସୁଧାକରଙ୍କ ପରିବାର ଲୋକେ ଏଥିରେ ରାଜି ନ ହୋଇ ଝିଅକୁ ଅନ୍ୟତ୍ର ବିବାହ କରି ଦେଇଥିଲେ । ଏହି ଘଟଣାକୁ ନେଇ ତ୍ରିଲୋଚନ ସୁଧାକରଙ୍କ ପରିବାର ଉପରେ ରାଗ ରଖି ବାରମ୍ବାର ନାନା ପ୍ରକାର ଧମକ ଦେଇ ଆସୁଥାଏ । ଗତ କିଛିମାସ ତଳେ ଏ ନେଇ ମତୋ ଫାଣ୍ଡିରେ ଉଭୟପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇ ସମାଧାନ ମଧ୍ୟ ହୋଇଥିଲା । ମାତ୍ର ତ୍ରିଲୋଚନ ଏହା ପରେ ବି ଧମକ ଚମକ ଦେଉଥାଏ ।

ଏହି ଘଟଣାକୁ ନେଇ ସୁଧାକରଙ୍କ ପରିବାର ସହିତ ତ୍ରିଲୋଚନଙ୍କ ପରିବାରର ଶତ୍ରୁତା ଲାଗି ରହିଥିଲା । ଗତ କିଛିଦିନ ତଳେ ସୁଧାକର ପୁଣି ପୁଲିସରେ ଅଭିଯୋଗ କରିଥିଲେ । ଏହାକୁ ନେଇ ତ୍ରିଲୋଚନ ଅଧିକ କ୍ଷୁବ୍ଧ ହୋଇ ରାଗରେ ଥିଲେ । ବୁଧବାର ସନ୍ଧ୍ୟାରେ ସୁଧାକରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ଘରକୁ ଯାଇ ତ୍ରିଲୋଚନ ସୁଧାକରଙ୍କ ପତ୍ନୀ ସରସ୍ୱତୀଙ୍କୁ ଗାଳିଗୁଲଜ କରିବା ସହ ରାଗରେ ଏକ କାଠଫାଳିଆରେ ତାଙ୍କ ମୁଣ୍ଡକୁ ପିଟିଥିଲେ । ଫଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ତ୍ରିଲୋଚନ ଘରେ ପଶି ପାଟିତୁଣ୍ଡ କରୁଥିବା ଖବର ପାଇ ସୁଧାକର ଘରକୁ ଆସିବାରୁ ତ୍ରିଲୋଚନ ତାଙ୍କୁ ମଧ୍ୟ କାଠଫାଳିଆରେ ମାଡ଼ ମାରିଥିଲା । ଯାହା ଫଳରେ ଘଟଣାସ୍ଥଳରେ ଦୁଇଜଣ ଙ୍କର ମୃତ୍ୟୁ ହୋଇଯାଇଛି ।

ଘଟଣା ପରେ ତାଙ୍କ ସାନଝିଅ ଯିଏକି ଜଣେ ମାନସିକ ଅନଗ୍ରସର ସେ ଆଗକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲା । ଫଳରେ ଝିଅ ରଞ୍ଜିତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ପଠାଯାଇଛି । ଏହି ଘଟଣା ଘଟାଇ ତ୍ରିଲୋଚନ ଖସିଯିବା ସମୟରେ ଗ୍ରାମବାସୀ ଧରି ପୁଲିସରେ ଜିମା ଦେଇଛନ୍ତି । ଅନ୍ୟପକ୍ଷରେ ଏଡି ମାମଲାରେ ତ୍ରିଲୋଚନର ବାପା ମଧ୍ୟ ଦାୟୀ ବୋଲି ଦାବି କରି ଗ୍ରାମବାସୀ ପୁଲିସକୁ ଶବ ଜବତ କରିବାକୁ ଦେଇ ନ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଚାନ୍ଦବାଲି ଏସ୍ଡିପିଓ ତରୁଣ କୁମାର ଦାସ ଓ ଆଇଆଇସି ମିନତୀ ବିଶ୍ୱାଳ ପହଞ୍ଚି ତଦନ୍ତ କରୁଛନ୍ତି ।