ଝାରସୁଗୁଡା: ବ୍ରଜରାଜ ନଗରରର ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଅନୁପ କୁମାର ସାଏଙ୍କୁ ଏକ ହତ୍ୟା ମାମଲରେ ଗିରଫ କରିଛି ଛତିଶଗଡ ପୋଲିସ । ଖବର ଅନୁଯାୟୀ, ଛତିଶଗଡର ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନା ପୋଲିସ ଗତକାଲି ରାତି ପୟାୟ ୯ଟା ୨୩ ମିନିଟରେ ବ୍ରଜରାଜ ନଗରରର ଶିରିଡିସାଇ ମନ୍ଦିର ନିକଟରୁ ତାଙ୍କୁ ଉଠାଇ ନେଇଥିଲା । ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇ ପୋଲିସ ପଚରାଉଚୁରା ପରେ ଗିରଫ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୨୦୧୬ରେ ବ୍ରଜରାଜ ନଗରର ଜନୈକ ମହିଳା କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ବବଲି ଦାସ(୧୫)ଙ୍କୁ ହତ୍ୟା କରାଯାଇଥିଲା। ପରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଏକ ଜଙ୍ଗଲରେ ପୋଲିସ ଉଭୟଙ୍କର ଶବ ଜବତ କରିଥିଲା। ଏହାପରେ ତତକାଳୀନ ସ୍ଥାନୀୟ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ବି ଏହି ଘଟଣାରେ ଅନୁପ କୁମାର ସାଏ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କର ଗିରଫ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ, ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ କଂଗ୍ରେସ ଦଳ ଛାଡ଼ି ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ । ସେ ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାସ୍ତ ହୋଇଥିଲେ।