୨୮ ରୁ ଥିଲେ ନିଖୋଜ : ମାଟି ତଳୁ ମିଳିଲା ଯୁବକଙ୍କ ମୃତଦେହ ଓ ମୋଟର ସାଇକେଲ

ଭଞ୍ଜନଗର : ମାଟି ତଳୁ ମିଳିଲା ଯୁବକଙ୍କ ମୃତଦେହ ଓ ମୋଟର ସାଇକେଲ । ଗତ ୨୮ ତାରିଖରୁ ଥିଲେ ନିଖୋଜ । ଆଉ ଗତକାଲି ମୋଟର ସାଇକେଲ ମିଳିବା ପରେ ଆଜି ମିଳିଲା ମୃତଦହେ । ବ୍ୟାବସାୟିକ ଶତ୍ରୁତାରୁ ଗଞ୍ଜାମ ଭଞ୍ଜନଗର କରିଆମ୍ବା ଜଙ୍ଗଲରେ ଏଭଳି ଏକ ବର୍ବରୋଚିତ ହତ୍ୟାକାଣ୍ଡ ଘଟିଛି । ସେପଟେ ହତ୍ୟା ସନ୍ଦେହରେ ପୋଲିସ୍, ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ସ୍ଥାନୀୟ ଲୋକେ ତାତିଛନ୍ତି । ରାସ୍ତାରୋକ କରି ଅଭିଯୁକ୍ତର ହସ୍ତାନ୍ତର ଦାବି କରୁଛନ୍ତି ସେମାନେ ।

ଗଞ୍ଜାମରେ ପୁଣି ଏକ ମର୍ଡର୍ । ଜଙ୍ଗଲରୁ ମିଳିଲା ଜଣେ ଯୁବକଙ୍କ ମୃତଦେହ । ମୃତ ଯୁବକ ହେଉଛନ୍ତି ଭଞ୍ଜନଗର ତାରସିଂ ଥାନା ଅନ୍ତର୍ଗତ ଭୋଗରା ଗାଁର ଜିତେନ୍ଦ୍ର ପ୍ରଧାନ । ଗତ ୨୮ ତାରିଖରୁ ସେ ନିଖୋଜ ଥିଲେ । ଗତକାଲି କିରିଆମ୍ବା ଜଙ୍ଗଲରୁ ମିଳିଥିଲା ଜିତେନ୍ଦ୍ରଙ୍କ ମୋଟର ସାଇକେଲ । ଆଉ ଆଜି ମୋଟର ସାଇକେଲ ମିଳିବା ସ୍ଥାନ ଠାରୁ ୫୦ ମିଟର ଦୂରରୁ ମାଟି ତଳୁ ମିଳିଛି ଜିତେନ୍ଦ୍ରଙ୍କ ମୃତଦେହ ।

ବାଲିସାହି ଗାଁର ପ୍ରଭଞ୍ଜନ ତ୍ରିପାଠୀ ନାମକ ଜଣେ ବ୍ୟକ୍ତିଙ୍କ ସହ ବ୍ୟବସାୟ କରୁଥିଲେ ଜିତେନ୍ଦ୍ର ପ୍ରଧାନ । ତାଙ୍କ ପାଖରୁ ଟଙ୍କା ନେଇ ଭୁବନେଶ୍ବର ଯିବାକୁ କହି ଗତ ୨୮ ତାରିଖରେ ଘରୁ ମୋଟର ସାଇକେଲ ଧରି ବାହାରିଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା । ଘର ଲୋକେ ତାରସିଂ ଥାନାରେ ଏତଲା ଦେଇଥିଲେ । ଏସଡିପିଓ ଏବଂ ଜିଲ୍ଲାପାଳଙ୍କୁ ଦେଖା କରିଥିଲେ । କିନ୍ତୁ କେହି ଶୁଣି ନଥିଲେ । ବରଂ ତାରସିଂ ଆଇଆଇସି କହିଥିଲେ, ସେ ଝିଅ ଧରି ବୁଲୁଥିବ, ମନକୁ ଘରକୁ ଫେରିବ । ଘର ଲୋକଙ୍କ ମନ ବୁଝି ନଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଧରି ସେମାନେ ଜଙ୍ଗଲରେ ଖୋଜାଖୋଜି ଚଳାଇଥିଲେ । ଆଉ ଗତକାଲି ମୋଟର ସାଇକେଲ ପରେ ଆଜି ମିଳିଲା ଜିତେନ୍ଦ୍ରଙ୍କ ମୃତଦେହ । ପୋଲିସ୍ ଅବହେଳାରୁ ହିଁ ଦୁର୍ବୃତ୍ତମାନେ ଜିତେନ୍ଦ୍ରଙ୍କୁ ମାରିଦେଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଜିତେନ୍ଦ୍ରଙ୍କ ବ୍ୟାବସାୟିକ ସହଯୋଗୀ ପ୍ରଭଞ୍ଜନଙ୍କୁ ପୋଲିସ୍ ଅଟକ ରଖିଛି । ସେପଟେ କିନ୍ତୁ ଜଗନ୍ନାଥ ପ୍ରସାଦ ବ୍ଲକର ରୁଢ଼ାପଦର, କୋକଳଗା, ଗାୟଗଣ୍ଡା, ସଲପ ତବଲା ଆଦି ୨୦ ଖଣ୍ଡ ଗାଁର ଆଦିବାସୀ ଭଞ୍ଜନଗର-ଦଶପଲ୍ଲା ରାସ୍ତାକୁ ଗତକାଲି ଠାରୁ ଅବରୋଧ କରି ରଖିଛନ୍ତି । ପ୍ରଭଞ୍ଜନଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ସେମାନେ ଦାବି କରୁଛନ୍ତି ।