ସୁନ୍ଦରଗଡ: ଡାହାଣୀ ସନ୍ଦେହ କରି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ଶିଶୁ ଗୁରୁତର ଅବସ୍ଥାରେ ରାଉଲକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ।
ପ୍ରକାଶ ଯେ, ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଲି ଗ୍ରାମର ବାନ୍ଦନି ଓରାମ (୫୨) ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମର ଦଶରଥ ଓରାମଙ୍କ ଘରକୁ ଗତକାଲି ଦିନ ବେଳେ ସପରିବାର ଆସିଥିଲେ। ସେ ନିଜ ଝିଅ ଜ୍ବାଇଁଙ୍କ ଘରକୁ ଆସିଥିଲେ। ଗତକାଲି ରାତି ୮ ଟା ପାଖାପାଖି ସମୟରେ ସମସ୍ତେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ତା’ ପାଖରେ ବସିଥିଲେ।
ଏହି ସମୟରେ ଜ୍ବାଇଁଙ୍କ ସାନ ଭାଇ ରତିକାନ୍ତ ଓରାମ (୩୫)ସେଠାରେ ପହଂଚି ବାନ୍ଦନିଙ୍କୁ ଦେଖି ଉତକ୍ଷିପ୍ତ ହୋଇ ନିଜ ଘର ଭିତରକୁ ଯାଇ ଏକ ଟାଙ୍ଗିଆ ଆଣି ତାଙ୍କ ବେକରେ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ବାନ୍ଦନିଙ୍କର ମୃତ୍ୟୁ ହୋଇଥିଲା ।ଏହା ପରେ ପୁଣି ଥରେ ରତିକାନ୍ତ ଟାଙ୍ଗିଆରେ ଆଉ ଏକ ଚୋଟ ପକାଇବାରୁ ପାଖରେ ବସିଥିବା ଜଣେ ଦେଢ ବର୍ଷର ଶିଶୁ ତାନିସ ଓରାମ ଆହତ ହୋଇଥିଲେ। ପରେ ତାର ଅବସ୍ଥା ଗୁରୁତର ହୋଇଥିଲା।
ସୂଚନାଯୋଗ୍ୟ, ବାନ୍ଦନିଙ୍କୁ ରତିକାନ୍ତ ପୂର୍ବରୁ ଡାହାଣୀ ସନ୍ଦେହ କରି ଆସୁଥିଲା। ଏଥିପାଇଁ ତାଙ୍କୁ ଆମ ଘରକୁ ନ ଆସିବା ପାଇଁ ତାଗିଦ କରିଥିଲା। ବାନ୍ଦନି କୁଆଡେ ଗୁଣିଗାରେଡ଼ି କରୁଥିବାରୁ ତାର ପରିବାର ସବୁବେଳେ ରୋଗରେ ପୀଡ଼ିତ ହେଉଥିବାରୁ ରତିକାନ୍ତ ତାକୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲା।
ଏହି ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରୁ ରତିକାନ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବଣାଇଁ ପୋଲିସ ପହଂଚି ଶବକୁ ଜବତ କରି ଆଜି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏଣେ ଆହତ ଶିଶୁକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି।