ସ୍ତ୍ରୀ ମୁଣ୍ଡକୁ ଶାବଳରେ ପିଟି ସ୍ୱାମୀର ଆତ୍ମହତ୍ୟା

ଗୋବିନ୍ଦପୁର : ସାଧାରଣତଃ ଦାମ୍ପତ୍ୟରେ ଛୋଟ ବଡ଼ ସମସ୍ୟାକୁ ନେଇ କଳିତକରାଳ ହୋଇଥାଏ । ମାତ୍ର ତାହା ସ୍ୱଳ୍ପ ସମୟ ପାଇଁ । କିନ୍ତୁ ଏହି ସମ୍ପର୍କରେ ଯଦି ଚାରିତ୍ରିକ ସନ୍ଦେହ ଉପୁଜିଲେ ତା’ର ପରିଣତି ନିଶ୍ଚିତ ଭୟାବହ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗୋବିନ୍ଦପୁର ଥାନା ଅନ୍ତର୍ଗତ ମାଙ୍ଖ ଗ୍ରାମରେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଶାବଳରେ ପିଟି ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜଗବନ୍ଧୁ ଦାଶ ତାଙ୍କ ସ୍ତ୍ରୀ ସୁମିତ୍ରାକୁ ଦୀର୍ଘ ଦିନ ଧରି ସନ୍ଦେହ କରି ଆସୁଥିଲେ । ଏହି ସନ୍ଦେହର ପରିଣତି ସ୍ୱରୂପ ସ୍ୱାମୀ ଗୋଟିଏ ଘରେ ରୋଷେଇ କରି ଚଳୁଥିବାବେଳେ ସ୍ତ୍ରୀ ଦୁଇ ପୁଅଙ୍କୁ ନେଇ ଅନ୍ୟ ଏକ ଘରେ ରୋଷେଇ କରି ରହୁଥିଲେ । ତେବେ ପିଲାଦ୍ୱୟଙ୍କ ପ୍ରତି ଜଗବନ୍ଧୁଙ୍କର ସ୍ନେହ ଶ୍ରଦ୍ଧା କେବେ ବି ଊଣା ନଥିଲା । ତଥାପି ସନ୍ଦେହ ଜଗବନ୍ଧୁଙ୍କ ପିଛା ଛାଡ଼ି ନଥିଲା । ଫଳରେ  ସକାଳୁ ସ୍ତ୍ରୀ ସୁମିତ୍ରା ନିଜ କର୍ମ ସଂସ୍ଥାନକୁ ଯିବା ପାଇଁ ଗାଧୋଇ ଚଉରା ପୂଜୁଥିବାବେଳେ, ଜଗବନ୍ଧୁ ପଛପଟୁ ଗୋଟିଏ ଶାବଳରେ ତାଙ୍କ ମୁଣ୍ଡକୁ ପିଟିଦେଇ ଘର ଭିତରେ ପଶି କବାଟ ବନ୍ଦ କରି ଦେଇଥିଲେ । ଚଉରା ମୂଳରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଚିତ୍କାର କରୁଥିବା ସୁମିତ୍ରାଙ୍କୁ ସାହିପଡ଼ିଶା ଘେରି ଯାଇ ଚିକିତ୍ସା ପାଇଁ ଚେଷ୍ଟା କରୁଥିବାବେଳେ ଜଗବନ୍ଧୁ ଘର ଭିତରେ ପଙ୍ଖାରେ ଶାଢ଼ି ବାନ୍ଧି ବେକରେ ଫାଶ ଦେଇ ଝୁଲି ପଡ଼ିଥିଲେ ।

ଗୋବିନ୍ଦପୁର ପୁଲିସ ଖବରପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ôଚ ଗୁରୁତର ଅବସ୍ଥାରେ ସୁମିତ୍ରାଙ୍କୁ ୧୦୮ ଯୋଗେ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ । ସେ ଏବେ ଚିକିତ୍ସାଧୀନ ଅଛନ୍ତି । ଅପରପକ୍ଷରେ କିଛି ସମୟ ପରେ ଜଗବନ୍ଧୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ୍କୁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ମେଡିକାଲ୍ରୁ ଅଣାଯାଇ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏସବୁ ମଧ୍ୟରେ ଉଭୟଙ୍କ ଦୁଇ ପୁଅ ବେସାହାରା ହୋଇଯିବା ସାର ହୋଇଛି । ଗୋବିନ୍ଦପୁର ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଜଗବନ୍ଧୁଙ୍କ ଘର ହୋଇଥିବାବେଳେ ସେ ଉକ୍ତ ଥାନାରେ ହୋମ୍ଗାର୍ଡ ଭାବେ ଚାକିରି କରୁଥିଲେ । ତେଣୁ ସ୍ୱମୀ ସ୍ତ୍ରୀଙ୍କ ଦୀର୍ଘ ବର୍ଷର ଦାମ୍ପତ୍ୟ କଳହକୁ ବିଭିନ୍ନ ସମୟରେ ଥାନାରେ ଥିବା ଅଧିକାରୀମାନେ ମାନବିକତା ଦୃଷ୍ଟିରୁ ବାରମ୍ବାର ସମାଧାନ କରିଥିଲେ । ତଥାପି ସରି ନଥିଲା ସନ୍ଦେହ ଏବଂ ଶେଷରେ ଏଭଳି ଶେଷ ହେଲା ଦାମ୍ପତ୍ୟ ।

ପ୍ରକାଶଯୋଗ୍ୟ, ଜଗବନ୍ଧୁ ପ୍ରାୟ ୨୧ ବର୍ଷ ପୂର୍ବେ ସଦର ଥାନା ଅଧୀନ କୋରକରା ଗ୍ରାମର ମାମି ନାମ୍ନୀ ଝିଅକୁ ବିବାହ କରିଥିଲେ । ତାଙ୍କଠରୁ ଗୋଟିଏ ପୁଅ ଜନ୍ମ ହେବାର ବର୍ଷେ ମଧ୍ୟରେ ଏହି ଚାରିତ୍ରିକ ସନ୍ଦେହକୁ ନେଇ ମାମି ବାପଘରକୁ ଚାଲି ଯାଇଥିଲେ । ଅଦ୍ୟାବଧି ସେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇ ନଥିଲେ ହେଁ କିଛି ଦିନ ପରେ ଜଗବନ୍ଧୁ ସୁମିତ୍ରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।