ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବଳି

ନାକଟିଦେଉଳ :ତନ୍ତ୍ର ସାଧାନା ପାଇଁ ନିଜ ସ୍ତ୍ରୀକୁ ବଳି ଦେବା ଘଟଣା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ହିତସରା ଗ୍ରାମର ଦାଶରଥିମୁଣ୍ଡା ସାହିରେ । ଚଗଲା ସେଠୀ (୪୦) ଓ ତା’ ସ୍ତ୍ରୀ ସୁଲୋଚନା (୩୭)ଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡ଼ା ଲାଗି ରହୁଥିଲା । କିଛିଦିନ ଧରି ଚଗଲା ତନ୍ତ୍ର ସାଧନ କରୁଥିଲା । ସେଥିପାଇଁ ସେ ନିଜ ବାଡ଼ିପଟେ ଏକ ଗଛ ମୂଳେ ପିଣ୍ଡି ତିଆରି କରିଥିଲା ।

ତେବେ ତନ୍ତ୍ରବିଦ୍ୟାରେ ସଫଳ ହେବା ପାଇଁ ଗତ ୩୦ ତାରିଖ ମଙ୍ଗଳବାର ରାତିରେ ସେ ସୁଲୋଚନାଙ୍କୁ ବଳି ଦେବାକୁ ଯୋଜନା କରିଥିଲା । ଘରେ ସମସ୍ତେ ଶୋଇଗଲା ପରେ ରାତି ପ୍ରାୟ ୧୧ଟା ବେଳେ ସୁଲୋଚନାଙ୍କୁ ଟାଙ୍ଗିଆରେ ହତ୍ୟା କରିଥିଲା ।
ମୃତ ଶରୀରକୁ ବୋହିନେଇ ଘରଠାରୁ ପ୍ରାୟ ୧ କିମି ଦୂର ବେଗୁନାନାଳୀସ୍ଥିତ ଏକ ଆମ୍ବଗଛ ତଳେ ପକାଇଥିଲା । ମୃତ ସୁଲୋଚନାଙ୍କ ଏକ ହାତକୁ ଟାଙ୍ଗିଆରେ କାଟି ରକ୍ତ ଆଣି ପିଣ୍ଡିରେ ପୂଜା କରିଥିଲା । ତା’ ପରଦିନ ସୁଲୋଚନା କେଉଁଆଡ଼େ ଚାଲିଯାଇଛି କହି ସାହିଲୋକଙ୍କ ସହ ଖୋଜାଖୋଜି କରିଥିଲା । ମୃତଦେହ ଦୁର୍ଗନ୍ଧ ହେବା ପରେ ଶୁକ୍ରବାର ସନ୍ଧ୍ୟା ବେଳକୁ ଲୋକେ ଘଟଣାସ୍ଥଳରେ ପହଞ୍ôଚଥିଲେ । ଏ ସମ୍ପର୍କରେ ମୃତ ସୁଲୋଚନାଙ୍କ ଭାଇ ପ୍ରସନ୍ନ ବେହେରା ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଚଗଲାକୁ ଥାନାକୁ ଆଣି ପଚରାଉଚରା କରିଥିଲେ । ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ହତ୍ୟା କରିଥିବା ଚଗଲା ସ୍ୱୀକାର କରିଛି ।

ଅଧିକ ତଦନ୍ତ ପାଇଁ ଥାନା ଅଧିକାରୀ, ରେଢ଼ାଖୋଲ ଏସ୍ଡିପିଓ ଓ ଟିମ୍ ଗ୍ରାମରେ ପହଞ୍ôଚ ତନାଘନା ଚଳାଇଛନ୍ତି । ଚଗଲା ତନ୍ତ୍ର ସାଧନ କରୁଥିଲା ବୋଲି ଗାଁ ଲୋକଙ୍କ ସହ ତା’ର ଝିଅ ସଂଯୁକ୍ତା ଓ ପୁଅ ବୈକୁଣ୍ଠ କହିଛନ୍ତି । ନବମ ଶ୍ରେଣୀରେ ସଂଯୁକ୍ତା ଓ ଷଷ୍ଠ ଶ୍ରେଣୀରେ ବୈକୁଣ୍ଠ ପଢ଼ୁଛନ୍ତି ।