ପରକୀୟା ପ୍ରୀତିରୁ ହତ୍ୟା, ସ୍ୱାମୀ ଓ ବାନ୍ଧବୀ ଗିରଫ, ବାପା ବିରୋଧରେ ମା ହତ୍ୟାର ଶାକ୍ଷୀ ହେଲା ୬ ବର୍ଷର ପୁଅ

ଭୁବନେଶ୍ୱର : ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକ ନିକଟସ୍ଥ ଏକ ସଫାରୀ ଗାଡ଼ିରୁ ତନୁଜା ଆଇଜିଙ୍କ ମୃତଦେହ ମିଳିବା ଘଟଣା ଉପରୁ ପରଦା ଉଠାଇଛି କମିଶନରେଟ୍ ପୁଲିସ । ତନୁଜାଙ୍କୁ କେହି ହତ୍ୟା କରିଛି ନା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ଏନେଇ ଯେଉଁ ରହସ୍ୟ ଗତ ୩ ଦିନ ଧରି ଲାଗି ରହିଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି ।

ତନୁଜାଙ୍କ ସ୍ୱାମୀ ସଂଗ୍ରାମ ଆଇଚି ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ତେବେ ପରକୀୟା ପ୍ରିତୀ ଯୋଗୁଁ ଏହି ତନୁଜାଙ୍କୁ ସଂଗ୍ରାମ ହତ୍ୟା କରିଥିବା ନେଇ ଅଭିଯୁକ୍ତ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ତେବେ ଏହି ପୁରା ଘଟଣାରେ ଅଭିଯୁକ୍ତ ସଂଗ୍ରାମଙ୍କୁ ସହଯୋଗ କରିଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ସ୍ନିଗ୍ଧା ଦାଶ ନାମକ ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଛି । ସ୍ନିଗ୍ଧା ଅଭିଯୁକ୍ତ ସଂଗ୍ରାମଙ୍କ ବାନ୍ଧବୀ ବୋଲି ଜଣାପଡ଼ିଛି । ଏପରିକି ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିବା ନେଇ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏପରିକି ସଂଗ୍ରାମ କୋଲକାତାରେ ଲୁଚିଥିବା ନେଇ ପୁଲିସ ସ୍ନିଗ୍ଧାର କଲ୍ ଡିଟେଲ୍ସରୁ ଜାଣିବାକୁ ପାଇଛି । ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ଯେ, ଅଭିଯୁକ୍ତ ସଂଗ୍ରାମ ଓ ତାଙ୍କ ପତ୍ନୀ ତନୁଜାଙ୍କ ମଧ୍ୟରେ ବେଶ୍ କିଛିବର୍ଷ ହେବ ପାରିବାରିକ ବିବାଦ ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନ ଥିଲା । ଏପରିକି ସଂଗ୍ରାମ ଗତବର୍ଷ ନୂଆଗାଁ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ଏହା ପରେ ତନୁଜା ଓ ସଂଗ୍ରାମଙ୍କ ମଧ୍ୟରେ ଆଦୌ କଥାବାର୍ତ୍ତା ନ ଥିଲା ।

ଗତ ୩୦ ତାରିଖ ରାତି ୮ଟା ସମୟରେ ସଂଗ୍ରାମ ନିଜ ସଫାରି ଗାଡ଼ି (ଓଆର୍-୦୨ଏମ୍୨୬୦୦)ରେ ଯାଇ ନୂଆଗାଁ ସ୍ଥିତ ଆନନ୍ଦ ବିହାର ଘରେ ବାନ୍ଧବୀ ସ୍ନିଗ୍ଧାଙ୍କୁ ସାଙ୍ଗରେ ନେଇ ଯାଇ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ସ୍ନିଗ୍ଧାଙ୍କୁ ନେଇ ତନୁଜା ପାଟିକରିବା ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ତନୁଜା ଓ ସଂଗ୍ରାମ ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲେ । ତେବେ ସଂଗ୍ରାମ ଏହି ସମୟରେ ପାଖରେ ପଡ଼ିଥିବା ଏକ ଲୁହା ରଡ଼ରେ ତନୁଜାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିବା ସହ ନାକକୁ ଚାପି ଧରିଥିଲେ । ଫଳରେ ତନୁଜା ବେହୋସ ହୋଇ ତଳେ ପଡ଼ି ଯାଇଥିଲେ । ଏହା ପରେ ସଂଗ୍ରାମ ଓ ତାଙ୍କ ବାନ୍ଧବୀ ନାବାଳକ ପୁଅକୁ ନେଇ ତୁରନ୍ତ ତନୁଜାଙ୍କୁ ଗାଡ଼ିର ପଛ ସିଟ୍ରେ ବସାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ତେବେ ଉକ୍ତ ଘରୋଇ ହସ୍ପିଟାଲର ଜଣେ ଡାକ୍ତର ସଂଗ୍ରାମଙ୍କ ଗାଡ଼ି ନିକଟକୁ ଆସି ତନୁଜାଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଥିଲେ । ତନୁଜାଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ବାନ୍ଧବୀ ସ୍ନିଗ୍ଧା ତୁରନ୍ତ କିଛି ଗୋଟାଏ କରିବାକୁ ସଂଗ୍ରାମକୁ ପ୍ରବର୍ତ୍ତାଇଥିଲେ । ଏପରିକି ସେ ନିଜେ ରହୁଥିବା ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୁରୁକୃପା ହଷ୍ଟେଲ ନିକଟରେ ଛାଡ଼ି ଦେବାକୁ ସଂଗ୍ରାମକୁ କହିଥିଲେ । ରାତି ପ୍ରାୟ ୨ଟା ବେଳେ ସଂଗ୍ରାମ ବାନ୍ଧବୀଙ୍କୁ ହଷ୍ଟେଲ ନିକଟରେ ଛାଡ଼ିବା ପରେ ତନୁଜାଙ୍କ ମୃତଦେହଙ୍କୁ ଡିସ୍ପୋଜ୍ (ଗାଏବ ବା ନିଶ୍ଚିହ୍ନ) କରିବାକୁ ଏନ୍ଏଚ୍ ପଟକୁ ଆସୁଥିବା ବେଳେ ହନୁମାନ ମନ୍ଦିର ଗଳି ସାମ୍ନାରେ ତାଙ୍କୁ ଏକ ହାଇୱା ଗାଡ଼ି ଧକ୍କା ଦେଇଥିଲା । ତେବେ ଏହାପରେ ସଂଗ୍ରାମ ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ଏ ନେଇ ସମସ୍ତ କଥା ସ୍ନିଗ୍ଧାଙ୍କୁ ଫୋନ୍ ଯୋଗେ ଜଣାଇ ପୁଅକୁ ନେଇ କୋଲକାତା ଫେରାର୍ ହୋଇ ଯାଇଥିଲେ ।

ଘଟଣାର ପ୍ରଥମ ଦିନରୁ ତନୁଜାଙ୍କ ମୃତ୍ୟୁ ପଛରେ ସ୍ୱାମୀ ସଂଗ୍ରାମଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସ ସନ୍ଦେହ କରିଥିଲା । ପୁଲିସ ପ୍ରଥମେ ସଂଗ୍ରାମଙ୍କ ଫୋନ୍ ନମ୍ବରକୁ ଟ୍ରାକିଂ କରିଥିଲେ ମଧ୍ୟ ତାହା ସୁଇଚ୍ ଅଫ୍ ଥିବାରୁ ସମ୍ଭବ ହୋଇପାରି ନଥିଲା । ପରେ ସଂଗ୍ରାମଙ୍କ କଲ୍ ଡିଟେଲ୍ସ ଖୋଜିଥିଲା ପୁଲିସ । ଯେଉଁଥିରୁ ସଂଗ୍ରାମ ନିର୍ଦ୍ଧିଷ୍ଟ ଭାବେ ଗୋଟାଏ ନମ୍ବରକୁ ବାରମ୍ବାର ଫୋନ୍ କରିଥିବା ଜଣାପଡ଼ିଥିଲା । ସମ୍ପୃକ୍ତ ନମ୍ବରଟି ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଚନ୍ଦନ ବଜାରର ସ୍ନିଗ୍ଧା ଦାଶ ନାମକ ଜଣେ ଯୁବତୀଙ୍କ ନାମରେ ଥିବା ଜଣାପଡ଼ିଥିଲା । ସ୍ନିଗ୍ଧା ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ବୋଲି ପୁଲିସ ଜାଣିବା ପରେ ତାଙ୍କୁ ଡାକି ପଚରାଉଚରା କରିଥିଲା । ପଚରାଉଚରା ବେଳେ ସ୍ନିଗ୍ଧା ଘଟଣା ଦିନ କ’ଣ କ’ଣ ହୋଇଥିଲା ସେ ନେଇ ପୁଲିସ ନିକଟରେ ମାନିଯାଇଥିଲା । ପରେ ସ୍ପେଶାଲ ସ୍କ୍ୱାଡ୍ର ଏକ ସ୍ୱତନ୍ତ୍ର ଟିମ୍ କୋଲକାତା ଯାଇ ଅଭିଯୁକ୍ତ ସ୍ନିଗ୍ଧାଙ୍କୁ ଗିରଫ କରିଥିଲା ।