ଡାଆଣୀ ସନ୍ଦେହରେ ଭାଇ-ଭାଉଜଙ୍କୁ ହତ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲାକୁ ଗୁଣି ଗାରେଡ଼ି ଭଳି ଏକ ଅନ୍ଧ ବିଶ୍ୱାସ କବଳିତ କରି ରଖିଛି । ବିଭିନ୍ନ ସମୟରେ ଡାଆଣୀ ସନ୍ଦେହରେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି । ବେଳେବେଳ ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ଝଡ଼ାଫୁଙ୍ଖାର ଆଶ୍ରୟ ନିଆଯାଉଛି । ଗତ ଶନିବାର ରାତିରେ ବାରିପଦା ସଦରଥାନା ଅର୍ନ୍ତଗତ ରାଜାବସା ପଞ୍ଚାୟତର କୁକୁଡ଼ାଯୋଡ଼ି ଗ୍ରାମରେ ଡାଆଣୀ ସନ୍ଦେହରେ ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ସେମାନେ ହେଲେ ପୂର୍ଣ୍ଣ ହେମ୍ବ୍ରମ (୬୦) ଓ ତାଙ୍କ ପତ୍ନୀ ସିଙ୍ଗ ହେମ୍ବ୍ରମ (୫୫) । ଏହି ହତ୍ୟାକାଣ୍ଡ ଖୋଦ ମୃତ ବ୍ୟକ୍ତିଙ୍କ ସାନ ଭାଇ ରଥ ହେମ୍ବ୍ରମ (୪୦) ଘଟାଇଛି ବୋଲି ଜଣାପଡ଼ିଛି ।

ରାତିରେ ପୂର୍ଣ୍ଣ ଘର ଭିତରେ ଓ ତାଙ୍କ ପତ୍ନୀ ଘର ବାରଣ୍ଡାରେ ଏକ ଖଟିଆରେ ମଶାରି ଟାଙ୍କି ଶୋଇଥିଲେ । ବିଳମ୍ବିତ ରାତ୍ରିରେ ତାଙ୍କ ଭାଇ ରଥ ଏକ ଧାରୁଆ ଅସ୍ତ୍ରରେ ଭାଇଭାଉଜଙ୍କୁ ହାଣି ଦେଇ ସେଠାରୁ ପଳାଇଥିଲା । ଗାଁ ଲୋକେ ସକାଳେ ପୂର୍ଣ୍ଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଘର ସମ୍ମୁଖ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସିଙ୍ଗଙ୍କ ମୃତଦେହ ଖଟିଆ ଉପରେ ପଡ଼ିଥିଲା । ଖବର ପାଇ ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୁଲିସ ଏବଂ ପରେନସିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ରକୁ ପୁଲିସ ଜବତ କରିବା ସହ ସନ୍ଦେହରେ ତାଙ୍କ ସାନ ଭାଇ ରଥଙ୍କୁ ଥାନାରେ ଅଟକ ରଖିଥିଲା । ପୂର୍ବରୁ ଡାଆଣି ସନ୍ଦେହରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ସେମାନଙ୍କ ପରିବାର ମଧ୍ୟରେ ଗଣ୍ଡୋଗୋଳ ରହିଥିଲା । ତେଣୁ ରଥ ଭାଇ-ଭାଉଜଙ୍କୁ ହତ୍ୟା କରିଥିଲା ।