ସିଲ୍ ହେଲା ମୁମ୍ବାଇର ୱୋକାର୍ଡ ହସ୍ପିଟାଲ

ମୁମ୍ବାଇ: ୨୬ ଜଣ ନର୍ସ ଓ ୩ଜଣ ଡାକ୍ତର କରୋନା ଭାଇରସ୍ ପଜିଟିଭ୍ ହେବା ପରେ ଆଜି ମୁମ୍ବାଇର ଆଗ୍ରିପଡାସ୍ଥିତ ୱୋକାର୍ଡ ହସ୍ପିଟାଲକୁ ସିଲ କରାଯାଇଛି । ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ରବିବାର ଦିନ ଡାକ୍ତରଖାନାକୁ ଏକ କଂଟେନମେଂଟ ଜୋନ୍ ବୋଲି ଘୋଷଣା କରିଛି।

ବିଏମସିର ଅତିରିକ୍ତ ମ୍ୟୁନିସିପାଲିଟି କମିଶନର (ସ୍ୱାସ୍ଥ୍ୟ) ସୁରେଶ କାକାନି କହିଛନ୍ତି ଯେ, ସେମାନେ ଡାକ୍ତରଖାନାକୁ ସିଲ୍ କରିଛନ୍ତି ଏବଂ ସ୍ୱାବ ରିପୋର୍ଟ ନେଗେଟିଭ ନଆସିବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ। ଡାକ୍ତରଖାନା ପ୍ରଶାସନ ସତର୍କତା ଅବଲମ୍ବନ କରୁନଥିବାରୁ ଆଜି ଡାକ୍ତରଖାନାର ପ୍ରାୟ ୩୦୦କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଡାକ୍ତରଖାନା ପରିସରରେ ଏତେ ସଂଖ୍ୟକ ଲୋକଙ୍କ ମଧ୍ୟରେ ଏହି ଭୂତାଣୁ କିପରି ବ୍ୟାପିଛି ତାହାର ଅନୁସନ୍ଧାନ ପାଇଁ ଆମେ ଏକ ଦଳ ଗଠନ କରିଛୁ ବୋଲି ସେ କହିଛନ୍ତି।

ପୂର୍ବରୁ ଜଣେ କୋଭିଡ -୧୯ର ଶିକାର ହୋଇଥିବା ନର୍ସ ଅଭିଯୋଗ କରିଥିଲେ ଯେ, ଡାକ୍ତରଖାନାର ଅବହେଳା ହେତୁ ଏହି ସଂକ୍ରମଣ ଅନ୍ୟ କର୍ମଚାରୀଙ୍କୁ ବ୍ୟାପିଗଲା। ମାର୍ଚ୍ଚ ୨୦ରେ ଦୁଇଜଣ ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କୁ କସ୍ତୁରବା ଗାନ୍ଧୀ ଡାକ୍ତରଖାନାରୁ ୱୋକାର୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ନିଶ୍ଚିତ ହୋଇଥିବା ମାମଲାଗୁଡିକ ପୃଥକ ପୃଥକ ୱାର୍ଡରେ ରଖାଯାଇଥିବା ବେଳେ ସନ୍ଦିଗ୍ଧମାନଙ୍କୁ ସାଧାରଣ ଆଇସିୟୁ ୱାର୍ଡରେ ରଖାଯାଇଥିଲା, ଯେଉଁଠାରେ ଅଣ-କୋଭିଡ -୧୯ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରାଯାଉଥିଲା।

ମାର୍ଚ୍ଚ ୨୮ରେ, ସେହି ସାଧାରଣ ଆଇସିୟୁ ୱାର୍ଡରେ କାର୍ଯ୍ୟ କରୁଥିବା ଦୁଇଜଣ ନର୍ସ କୋଭିଡ୍ -୧୯ ଦ୍ୱାରା ଶିକାର ହୋଇଥିଲେ । କିନ୍ତୁ ଖୁବ୍ ଶୀଘ୍ର ୧୦ଜଣ ନର୍ସ କୋଭିଡ୍ -୧୯ ଦ୍ୱାରା ସଂକ୍ରମିତ ହେବା ସହ ଏବେ ୨୬ଜଣ ନର୍ସ ଏବଂ ତିନି ଜଣ ଡାକ୍ତର କୋଭିଡ୍ -୧୯ର ଶିକାର ହୋଇଛନ୍ତି । ଡାକ୍ତରଖାନାର ଜଣେ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଥିବା ସନ୍ଦିଗ୍ଧ କରୋନା ଭାଇରସ୍ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଆମେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଛୁ ବୋଲି ଡାକ୍ତରଖାନାର ଜଣେ ନର୍ସ କହିଛନ୍ତି। ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଦାବି କରିଛନ୍ତି ଯେ, ସଂକ୍ରମିତ ନର୍ସମାନେ ସଂକ୍ରମିତ ହୋଇନଥିବା କର୍ମଚାରୀଙ୍କ ସହ ସମାନ କ୍ୟାଂଟିନ୍, ହଷ୍ଟେଲ ଏବଂ ବାଥରୁମକୁ ବ୍ୟବହାର କରିଥିଲେ, ଯାହାଦ୍ୱାରା ସଂକ୍ରମଣ ବ୍ୟାପିଥିଲା ।