ରାଉରକେଲାରୁ ଚାଲି ଚାଲି ଦିଲ୍ଲୀରେ ପହଁଚିଲେ ମୁକ୍ତିକାନ୍ତ,ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଜିଦରେ ଅଟଳ

ଭୁବନେଶ୍ବର  : ରାଉରକେଲାରୁ ରାଜଧାନୀ ଦିଲ୍ଲୀ ଚାଲିଚାଲି ଯାଇଥିବା ମୁକ୍ତିକାନ୍ତ ବିଶ୍ବାଳଙ୍କ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ଇଚ୍ଛା ଇଚ୍ଛାରେ ରହିଯାଇଛି। ଦିଲ୍ଲୀରେ ପହଞ୍ଚିଥିବା ମୁକ୍ତିକାନ୍ତ ପ୍ରଥମେ ଓଡ଼ିଶାର ଏକମାତ୍ର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟିଥିଲେ । ଜୁଏଲ ଜଣାଇଦିଏଥିଲେ ମୁକ୍ତିକାନ୍ତ ଯେଉଁସବୁ ଗୁହାରି ନେଇ ଆସିଛନ୍ତି ସେସବୁ କାମ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିପାରିବେ ନାହିଁ। ଆଉ ମୁକ୍ତିକାନ୍ତ ଜଣାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ନଭେଟିବା ଯାଏଁ ସେ ଦିଲ୍ଲୀ ଛାଡିବେ ନାହିଁ କି ଫେରିବେ ନାହି।

ହାତରେ ଝଣ୍ଡା ମନରେ ଉଦ୍ଦାମତା । ରାଉରକେଲାରୁ ଦୀର୍ଘ ୧୫ ଶହ କିଲୋମିଟର ଚାଲି ଚାଲି ଦିଲ୍ଲୀରେ ପହଞ୍ଚିଛନ୍ତି ମୁକ୍ତିକାନ୍ତ ବିଶ୍ବାଳ। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନିଷ୍ପତ୍ତିରେ ଅଟଳ । ୧୫ଶହ କିଲୋମିଟର ଚାଲି ଚାଲି ଯିବା ଭିତରେ ସେ ବାରମ୍ବାର ଅସୁସ୍ଥ ହୋଇଛନ୍ତି ତଥାପି ବି ଥକି ପଡ଼ିନାହାନ୍ତି ଚାଲି ଚାଲି ପହଞ୍ଚିଥିଲେ ଦିଲ୍ଲୀରେ । ଆଉ ଆଜି ଭେଟିଥିଲେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଘରେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ଜୁଏଲଙ୍କ ସହଯୋଗ ଚାହିଁଥିଲେ। ରାଉରକେଲାରେ ଦ୍ବିତୀୟ ସେତୁ ସହ ସୁପରସ୍ପେସିଆଲିଟି ହସ୍ପିଟାଲ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଅନୁରୋଧ କରିବାକୁ ମୁକ୍ତିକାନ୍ତ ମୋଦିଙ୍କୁ ଭେଟିବାକୁ ଚାହିଁଛନ୍ତି ।  ଆଉ ଜୁଏଲ ଦେଖିଥିଲେ ମୁକ୍ତିକାନ୍ତଙ୍କ ପଦଯାତ୍ରା ପଛରେ ରହିଛି ରାଜନୀତି । ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ କଂଗ୍ରେସ ପ୍ରେରଣ କରିଛି । ମୁକ୍ତିକାନ୍ତ ଯାହା ସବୁ କହିବାକୁ ଚାହିଁଛନ୍ତି ସେସବୁ କାର୍ଯ୍ୟ ଆରମ୍ଭ ହୋଇସାରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଦରକାର ନାହିଁ ବୋଲି ଜୁଏଲ ଶୁଣାଇଦେଲେ। ଆଉ ଜୁଏଲଙ୍କ ବାଣୀ ଶୁଣିବା ପରେ ମୁକ୍ତିକାନ୍ତ ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ନ ଭେଟିବା ଯାଏଁ ସେ ଦିଲ୍ଲୀ ଛାଡ଼ିବେ ନାହିଁ।

ମୁକ୍ତିକାନ୍ତ ଦିଲ୍ଲୀର ନିକଟ ହେବା ସମୟରେ ରାହୁଲ ଗାନ୍ଧି ଟ୍ବିଟ କରିଥିଲେ। ଓଡ଼ିଶାରେ ହସ୍ପିଟାଲ୍ ନିର୍ମାଣ ପାଇଁ ଫଣ୍ଡ ଯୋଗାଡ଼ କରିବ କଂଗ୍ରେସ୍ ଏମିତି କିଛି ବାର୍ତ୍ତା ଦେଇଥିଲେ। ଆଉ ରାହୁଲଙ୍କ ଟ୍ବିଟର ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୁପରସ୍ପେସାଲିଟି ହସ୍ପିଟାଲ କାମ ଆରମ୍ଭ ନହେବା ଲାଗି କଂଗ୍ରେସକୁ ଦାୟୀ କରିଥିଲେ। ଟ୍ବିଟ ଯୁଦ୍ଧରେ ମୁକ୍ତିକାନ୍ତଙ୍କ ଦିଲ୍ଲୀ ଗସ୍ତ ଓଡ଼ିଶା ରାଜନୀତିର ହଟ ଟପିକ ହୋଇଯାଇଥିଲା। ଆଉ ଦିଲ୍ଲୀରେ ପହଞ୍ଚିବା ବେଳକୁ କଂଗ୍ରେସ-ବିଜେପି ଛାୟା ଯୁଦ୍ଧର ମନ୍ଦରାଞ୍ଚଳ ପର୍ବତ ହୋଇଯାଇଥିଲେ ମୁକ୍ତିକାନ୍ତ। ଏବେ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାରେ ଜୁଏଲ ବାଟ ଓଗାଳିବାରୁ ରାଜନୀତିର ବୟାନବାଜି ଜୋର ଧରିଛି। ମୁକ୍ତିକାନ୍ତଙ୍କ ସ୍ପଷ୍ଟବାଣୀ ମୋଦିଙ୍କୁ ନଭେଟିଲେ ଦିଲ୍ଲୀ ଛାଡିବେନି। ଆଉ ସେ ଦିଲ୍ଲୀରେ ଥିବା ପର୍ଯ୍ୟନ୍ତ ଲୋକଙ୍କ ନଜର ତାଙ୍କ ଉପରେ ହିଁ ରହିଥିବ।