ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ରାଷ୍ଟ୍ରପତିଙ୍କୁ ଭେଟିବ ଗୃହକମିଟି , ଆସିଲେନି ବିଜେପି ସଦସ୍ୟ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି  (ଏମ୍ଏସ୍‌ପି, ମିନିମମ୍‌ ସପୋର୍ଟ ପ୍ରାଇସ୍) ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବାକୁ ବିଧାନସଭା ଗୃହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକ ପରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଏହା କହିଛନ୍ତି। ସେ କହିଛନ୍ତି- “ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗୃହ କମିଟି ସମୟ ମାଗିବ। ରାଜ୍ୟର ଦାବି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବାକୁ ସମୟ ନଦେବା ଦୁର୍ଭାଗ୍ୟଜନକ। ଆଜିର ବୈଠକକୁ ବିଜେପିର ଦୁଇଜଣ ସଦସ୍ୟ କେଭି ସିଂହଦେଓ ଏବଂ ବିଭୂତି ହରିଚନ୍ଦନ ଆସି ନଥିଲେ। ଏହାକୁ ନେଇ ସଞ୍ଜୟ କହିଛନ୍ତି- “ବିଜେପି ଚାଷୀଙ୍କ ଉନ୍ନତି ଚାହେଁନି ବୋଲି ୨ ଜଣ ସଦସ୍ୟଙ୍କ ଅନୁପସ୍ଥିତିରୁ ସ୍ପଷ୍ଟ ହୋଇଯାଇଛି।”

ଧାନ ସମ୍ପର୍କରେ ଗଠିତ ବିଧାନସଭା ଗୃହକମିଟିର ବୈଠକ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ କମିଟିକୁ ସାକ୍ଷାତ ପାଇଁ ସୁଯୋଗ ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଏଣୁ କମିଟି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିବେ । ଏଥିନେଇ କମିଟି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବେ । ଆଜିର ବୈଠକରେ ବିଜେପିର ଦୁଇ ସଦସ୍ୟ ଅନୁପସ୍ଥିତ ଥିଲେ । ବିଜେପି ବିଧାୟକ ଦଳର ନେତା ଓ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ଆସି ନ ଥିଲେ । କିନ୍ତୁ କଂଗ୍ରେସ ସଦସ୍ୟମାନେ ଉପସ୍ଥିତ ଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ପ୍ରଫୁଲ୍ଲ ମାଝି ଓ ଅନ୍ୟମାନେ ଉପସ୍ଥିତଥିଲେ ।
ଗତବର୍ଷ କମିଟି ବୈଠକ ବସି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲା । ଏଥିନେଇ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଚିଠି ଲେଖାଯାଇଥିଲା । ହେଲେ କୌଣସି ଉତ୍ତର ଆସି ନ ଥିଲା । ଭେଟିବା ପାଇଁ ସୁଯୋଗ ନ ମିଳିବାରୁ ଏହାକୁ କେନ୍ଦ୍ର ସରକାରଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ସମାଲୋଚନା କରିଥିଲେ । କିନ୍ତୁ ବିଧାନସଭା କମିଟି ଭେଟିବା ପାଇଁ ସମୟ ମାଗିବା ପୂର୍ବରୁ ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରି ସାରିଥିଲେ । ସାରା ଦେଶ ପାଇଁ ଗୋଟିଏ ମୂଲ୍ୟ ନିର୍ଦ୍ଧାରଣ ହୋଇସାରିଥିବା ଓଡ଼ିଶା କଥାକୁ ସ୍ୱତନ୍ତ୍ର ଭାବେ ବିଚାରକୁ ନିଆଯାଇ ନ ଥିଲା । କମିଟି ଭେଟିବା ପୂର୍ବରୁୂ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା । ଏଥିରେ ବିଜେଡି, ବିଜେପି ଓ କଂଗ୍ରେସ ସବୁ ଦଳ ସହମତି ପ୍ରଦାନ କରିଥିଲେ । ଏଥର ପୁଣି କେନ୍ଦ୍ର ସରକାର ଧାନର ଏମ୍ଏସ୍ପି କୁଇଣ୍ଟାଲ ପିଛା ୨୦୦ ଟଙ୍କା ବଢ଼ାଇ ସାରିଛନ୍ତି । ଏହାପରେ ଗୃହକମିଟି ବୈଠକ ବସିଛି । ଗତଥର ପ୍ରଧାନମନ୍ତ୍ରୀ ସମୟ ଦେଇ ନ ଥିବାରୁ ଏଥର ରାଷ୍ଟ୍ରପତିଙ୍କୁ ଭେଟିବ ପାଇଁ ନିଷ୍ପତ୍ତି ନିଆଯାଇଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଆଜିର ବୈଠକ ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେବାକୁ ସ୍ଥିର ହୋଇଛି ।
କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟ ଯେଉଁ ହାରରେ ନିର୍ଦ୍ଧାରଣ କରିଛନ୍ତି ତାହା ଭୁଲ୍ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି । ଓଡ଼ିଶାରେ ଚାଷୀମାନେ ଯେତିକି ପରିମାଣର ଖର୍ଚ୍ଚ କରୁଛନ୍ତି ସେହି ତୁଳନାରେ ସହାୟକ ମୂଲ୍ୟ ଧାର୍ଯ୍ୟ ହେଉନାହିଁ । ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ଏମ୍ଏସ୍ପି ଧାର୍ଯ୍ୟ କରାଯିବ । ଏ ଦୃଷ୍ଟିରୁ ସବୁକଥାକୁ ବିଚାରକୁ ନେଇ ସରକାର ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରିଥିଲେ । ହେଲେ କେନ୍ଦ୍ର ସରକାର ଏହି ଦାବିକୁ ବି ଏଥର ଗ୍ରହଣ କରି ନାହାଁନ୍ତି । ଇତିମଧ୍ୟରେ କେନ୍ଦ୍ର ସରକାର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିସାରିଛନ୍ତି । ଏ କ୍ଷେତ୍ରରେ ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିଲେ କେତେ ସୁଫଳ ମିଳିବ ତାହା ଦେଖିବା କଥା । ହେଲେ କେନ୍ଦ୍ର ସହାୟତା ଦେଉନାହିଁ ଏକଥା କହି ବିଜେଡି, କଂଗ୍ରେସ ରାଜନୀତି କରିବାକୁ ସୁଯୋଗ ପାଇବେ ।