ବାର୍ଷିକ ଅନୁବନ୍ଧରୁ ବାଦ୍ ପଡିଲେ ଧୋନି

ନୂଆଦିଲ୍ଲୀ: ବିସିସିଆଇ ଗତ ୬ ମାସ ହେବ କ୍ରିକେଟରୁ ଦୂରେଇ ରହିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାହାର କରିଛି। କ୍ରିକେଟ୍ ବୋର୍ଡ଼ ଦ୍ଵାରା ଗୁରୁବାର ଘୋଷିତ ଅନୁବନ୍ଧିତ ସୂଚୀରୁ ଧୋନିଙ୍କୁ ବାହାର କରାଯାଇଛି।

ବିସିସିଆଇର ଏହି ନିଷ୍ପତି ପରେ ଏହା ସ୍ଫଷ୍ଟ ହୋଇଛି ଯେ, ଧୋନିଙ୍କ ପାଇଁ ଏବେ ଅନ୍ତରାଷ୍ଟ୍ରୀୟ ଦଳରେ ଖେଳିବା ମୁସ୍କିଲ। ଧୋନୀଙ୍କୁ କ୍ରିକେଟ୍ ବୋର୍ଡ ଦ୍ଵାରା କୌଣସି ସୂଚୀରେ ସ୍ଥାନ ଦିଆଯାଇ ନାହିଁ। ତାଲିକାରେ ନାମ ନହେବା ପରେ କୁହାଯାଉଛି ଯେ, ବିସିସିଆଇ ଧୋନୀଙ୍କୁ କ୍ରିକେଟରୁ ଅବସର ନେଇ ଯିବାକୁ ସଙ୍କେତ ଦେଇଛନ୍ତି।

ବୋର୍ଡ଼ ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପାଇଁ ଅନୁବନ୍ଧିତ ତାଲିକା ଜାରି କରିଛି। ଏଥିରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରାଙ୍କ ଏ+ ରେ ରଖାଯାଇଛି। ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ଵର କୁମାର, ମହମ୍ମଦ ସାମି, ଚେତେଶ୍ଵର ପୂଜାରା, କେଏଲ ରାହୁଲ, ଆଜିଙ୍କ୍ୟ ରାହାଣେ, ଶିଖର ଧାଓ୍ଵନ, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ଗ୍ରେଡ ଏରେ ରଖାଯାଇଛି।

ବୋର୍ଡ଼ ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ଵାଲଙ୍କୁ ଗ୍ରେଡ ବିରେ ରଖିଛି। କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟର, ଓ୍ଵାଶିଂଟନ ସୁନ୍ଦରଙ୍କୁ ଗ୍ରେଡ଼ ସିରେ ରଖିଛି।

ଭାରତକୁ ନିଜ ଅଧିନାୟକତ୍ଵରେ ୨୦୧୧ ବିଶ୍ଵକପ୍ ଜିତାଇଥିବା ଧୋନି କ୍ୟାରିୟରରେ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି। ସେ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଟେଷ୍ଟ ଫର୍ମାଟରେ ସେ ମୋଟ୍ ୪୮୭୬ ରନ କରିଛନ୍ତି। ଦିନିକିଆରେ ତାଙ୍କ ନାମରେ ୧୦୭୭୩ ରନ ଏବଂ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୬୧୭ ରନ ରହିଛି।