ମୁମ୍ବାଇ: ବରୁଣ ଓ ଶ୍ରଦ୍ଧାଙ୍କ ଆଗାମୀ ଫିଲ୍ମ “ଷ୍ଟ୍ରିଟ୍ ଡ୍ୟାନ୍ସର” କୁ ନେଇ ଚର୍ଚ୍ଚା ଶେଷ ହୋଇ ନ ଥିବାବେଳେ ବରୁଣଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଖୁସି ଖବର । ତେବେ ଏହି ଖୁସି ଖବର ନିଜେ ବରୁଣ ତାଙ୍କ ଫ୍ୟାନ୍ସଙ୍କୁ ଦେଇଛନ୍ତି । କଥାଟା ହେଉଛି; ବରୁଣ ତାଙ୍କର ଆଗାମୀ ଫିଲ୍ମ ‘ମିଷ୍ଟର ଲେଲେ’ର ଫାଷ୍ଟ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହି ଫିଲ୍ମର ସୁଟିଂ ମାର୍ଚ୍ଚରେ ଆରମ୍ଭ କରିବାକୁ ନିଜେ ବରୁଣ ପୂର୍ବରୁ କହିଥିବାବେଳେ ଏବେ ଏହାର ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।
ପୋଷ୍ଟରରେ ବରୁଣ ଏକ ବକ୍ସର ଲୁକରେ ନଜର ଆସୁଛନ୍ତି । ଏଥିସହ ସେ ହାତରେ ଗୋଟିଏ ପିସ୍ତଲ ଧରିବା ସହ ଡରିବା ଭଳି ଲୁକ ଦେଇଛନ୍ତି । ତେବେ ଏଥିରୁ ଅନୁମାନ କରାଯାଉଛି ଯେ, ଫିଲ୍ମରେ କୌଣସି କାରଣ ବଶତଃ ତାଙ୍କୁ ପିସ୍ତଲ ଧରିବାକୁ ପଡିଛି ସତ, ମାତ୍ର ଯେଉଁଥିପାଇଁ ସେ ଜମା ରାଜି ନାହାଁନ୍ତି । ଫିଲ୍ମର ପୋଷ୍ଟର ସେୟାର କରିବା ସହ ଏହାର ରିଲିଜ୍ ଡେଟ୍ ମଧ୍ୟ ସେ କହିଛନ୍ତି । ତେବେ ଫିଲ୍ମଟି ୧ ଜାନୁୟାରି, ୨୦୨୧ରେ ରିଲିଜ୍ ହେବ ବୋଲି କହିଛନ୍ତି । ଧର୍ମା ପ୍ରଡକ୍ସନ ବ୍ୟାନର ତଳେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖଇତାନ୍ । ଫିଲ୍ମରେ ବରୁଣଙ୍କ ବ୍ୟତୀତ ଭୂମି ପେଡନେକର ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ । ତେବେ ଏଥିରୁ ସ୍ପଷ୍ଟ ଯେ ଏଥର ବରୁଣ ଏକ ନୂଆ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବାର ଦର୍ଶନ ଦେଖିବାକୁ ପାଇବେ ।