ଆରମ୍ଭ ହେଲା ଏମପିଏଲ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସହରାଂଚଳରେ ଟିକସ ଆଦାୟ କରିବାକୁ ସରକାରଙ୍କ ଅଭିନବ ପ୍ରୟାସ। ଆରମ୍ଭ ହେଲା ଏମପିଏଲ । ୯ଟି ବଡ ସହରାଂଚଳକୁ ନେଇ ଆରମ୍ଭ ହୋଇଛି ମ୍ୟୁନିସିପାଲ ପ୍ରିମିୟର ଲିଗ(ଏମପିଏଲ) । ଏମାନଙ୍କ ମଧ୍ୟରୁ ଯିଏ ଅଧିକ ଟିକସ ଆଦାୟ କରିବ ସେ ଚମ୍ପିଆନ ହେବ ବୋଲି କୁହାଯାଇଛି। ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଏହାର ଟ୍ରଫି ଉନ୍ମୋଚନ କରିଛନ୍ତି ।

ସେପଟେ ଅନଲାଇନରେ ଘରେ ବସି ଟିକସ ଦେଇପାରିବେ ସହରାଂଚଳବାସୀ । ଭୁବନେଶ୍ବର ଲୋକେ www.bhubaneswar.me ଏବଂ ଅନ୍ୟ ସହରାଞ୍ଚଳବାସୀ www.ulbodisha.gov.inରେ ନିଜର ସମ୍ପତି କର(ପ୍ରପଟି ଟାକ୍ସ) ଦେଇପାରିବେ ।

ଏହାସହ ଟାକ୍ସ ଆଦାୟ ବୃଦ୍ଧି କରିବା ପାଇଁ ୯ଟି ବଡ ସହରାଂଚଳ ଭୁବନେଶ୍ବର, ବ୍ରହ୍ମପୁର, କଟକ, ପୁରୀ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ବର ଓ ଭଦ୍ରକକୁ ନେଇ ଏମପିଏଲ ଆରମ୍ଭ ହୋଇଛି ।

ଅର୍ବାନ ଟିକସ ଆଦାୟ କ୍ଷେତ୍ରରେ ଓଡିଶା ଭାରତବର୍ଷରେ ୧୦ତମ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିବାକୁ ହେଲେ ୧୭୧ କୋଟି ଟଙ୍କା ଆଦାୟ କରିବାକୁ ପଡିବ। ତେଣୁ ଏପରି ନୂଆ ପଦକ୍ଷେପ ଗ୍ରହଣ କରିବା ସହ ମ୍ୟୁନିସିପାଲ ପ୍ରିମିୟର ଲିଗକୁ ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଶୁଭାରମ୍ଭ କରିଛନ୍ତି । ଯାହାର ସୁବିଧା ୧୧୪ଟି ସହରାଂଚଳର ପ୍ରାୟ ୭୦ ଲକ୍ଷ ଲୋକ ଉଠାଇପାରିବେ।