ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଲେ ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ପାରମ୍ପରିକ ହସ୍ତତନ୍ତରେ ନିର୍ମିତ କିଛି ମାସ୍କକୁ ସାଂସଦ ସୁରେଶ ପୂଜାରୀ ତାଙ୍କ ସାଥି ସାଂସଦମାନଙ୍କୁ ବାଣ୍ଟିଛନ୍ତି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।


ଟୁଇଟରେ ସେ ଲେଖିଛନ୍ତି ଯେ, ବୟନିକାର ନିର୍ଦ୍ଦେଶକ ସଞ୍ଜୟ ମେହେରଙ୍କ ଦ୍ୱାରା ନିର୍ମିତ ସମ୍ବଲପୁରୀ ମାସ୍କକୁ ସେ ତାଙ୍କ ସାଥି ସାଂସଦମାନଙ୍କୁ ଉପହାର ଦେଇଛନ୍ତି। ଏହାଦ୍ୱାରା ଆମ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ସାମଗ୍ରୀର ପ୍ରଚାର ଭାରତର କୋଣ ଅନୁକୋଣରେ ପହଞ୍ଚିପାରିବ।

ସାଂସଦଙ୍କ ଏହି ଉପହାରକୁ ସାଥି ସାଂସଦମାନେ ବେଶ ପସନ୍ଦ କରିଛନ୍ତି। ସାଂସଦମାନେ ଏହି ମାସ୍କକୁ ପିନ୍ଧି ଅଧିବେଶନରେ ଯୋଗ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ମହାରାଷ୍ଟ୍ର, ତାମିଲନାଡୁ ଅଞ୍ଚଳର ସାଂସଦମାନେ ଏହି ସମ୍ବଲପୁରୀ ମାସ୍କକୁ ବେଶ୍ ପସନ୍ଦ କରୁଥିବା କହିଛନ୍ତି ସାଂସଦ ସୁରେଶ ପୂଜାରୀ। ସାଂସଦମାନଙ୍କୁ ମାସ୍କ ଉପହାର ଦେବା ପରେ ସେମାନେ ସାଙ୍ଗ ହୋଇ ଫଟୋ ଉଠାଇବା ସହିତ ସାଂସଦ ସୁରେଶ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ ସୁପ୍ରିୟା ସୁଲେ ଏନେଇ ଟୁଇଟ୍ ମଧ୍ୟ କରିଛନ୍ତି।