ସାବାସ୍ ସରୋଜିନୀ,ପ୍ରଥମ ଥର ସାନ୍ତାଳୀ ଭାଷାରେ ରାଜ୍ୟସଭାରେ ଦେଲେ ଭାଷଣ

‘ଗୁରୁ ରାମକେ’ଙ୍କ ଲାଗି ଭାରତରତ୍ନ କଲେ ଦାବି

ବାରିପଦା,(ଶୃତି ରାଉତରାୟ ) : ରାଜ୍ୟସଭାରେ ଶୁଭିଲା ସାନ୍ତାଳୀ ଭାଷା । ନିଜ ଅଞ୍ଛଳର ଭାଷାରେ ଭାଷଣଦେଇ ଇତିହାସ ସୃଷ୍ଟି କରିଛନ୍ତି ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ । ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ୍ ହେବା ପରେ ଶୁକ୍ରବାର ରାଜ୍ୟସଭାରେ ପ୍ରଥମ ଥର ପାଇଁ ସ୍ଥାନ ପାଇ ଶୁଭିଥିଲା ସାନ୍ତାଳୀ ଭାଷା । ଓଡିଶା ସମେତ ପୂର୍ବ ଭାରତର ବେଶ୍ କିଛି ଅଞ୍ଚଳରେ ପ୍ରଚଳିତ ସାନ୍ତାଳୀ ଭାଷା । ଶୂନ୍ୟକାଳରେ ବିଜୁ ଜନତା ଦଳର ସାଂସଦ ତଥା ଆଦିବାସୀ ନେତ୍ରୀ ସରୋଜିନୀ ହେମ୍ବ୍ରମ୍ ସାନ୍ତାଳୀ ଭାଷାରେ ନିଜର ଅବିଭାଷଣ ଆରମ୍ଭ କରିଥିଲେ । କେବଳ ସେ ଭାଷଣ ଦେଇ ନଥିଲେ ସାନ୍ତାଳୀ ‘ଅଲ୍ଚିକି’ ଲିପିର ସ୍ରଷ୍ଟା ‘ଗୁରୁଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କୁ ଭାରତରତ୍ନ ଦେବାପାଇଁ ସେ ଦାବି କରିଛନ୍ତି । ନବେ ଦଶକ ଯାଏ ଏହା କେବଳ ବାର୍ତ୍ତାଳାପ ଓ କଥିତ ଆକାରରେ ଥିବା ‘ଅଷ୍ଟ୍ରୋସାୟାଟିକ୍’ ବର୍ଗର ଏହି ଭାଷା ଓଡିଶା ବ୍ୟତୀତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବାଂଲାଦେଶରେ ବହୁଳ ଭାବେ ବ୍ୟବହୃତ ହୋଇଥାଏ । ପରେ ୧୯୨୫ ମସିହାରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ପଣ୍ଡିତ ରଘୁନାଥ ମୁର୍ମୁ ଏହାର ଲିପି ବିକଶିତ କରିଥିଲେ । ପଣ୍ଡିତ ମୁର୍ମୁଙ୍କ କବିତା ଏବଂ ସାନ୍ତାଳୀ ଭାଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଆଦିବାସୀଙ୍କ ମଧ୍ୟରେ ସେ ବେଶ ପରିଚିତ । ରାଜ୍ୟର ଅନ୍ୟତମ ସାଂସ୍କୃତିକ ଆଦର୍ଶ ଭାବେ ପରିଗଣିତ ପଣ୍ଡିତ ମୁର୍ମୁଙ୍କୁ ରାଜ୍ୟରେ ଯଥେଷ୍ଟ ସମ୍ମାନ ମିଳି ସାରିଛି ଏବଂ ବର୍ତ୍ତମାନ ଜାତୀୟ ସ୍ତରରେ ମଧ୍ୟ ସମ୍ମାନ ପ୍ରଦାନ କରିବାକୁ ଦାବି ରଖିଛନ୍ତି ସରୋଜିନୀ । ବର୍ତ୍ତମାନ ପର୍ଯ୍ୟନ୍ତ ମୟୂରଭଞ୍ଜରୁ ରାଜ୍ୟସଭା ଯାଇଥିବା ସାଂସଦ ମାନଙ୍କ ଭିତରେ ସରୋଜିନୀ ହେମ୍ବ୍ରମ ରେକର୍ଡ ସଂଖ୍ୟକ ୩୬୩ଟି ପ୍ରଶ୍ନ ପଚାରିଛନ୍ତି । ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟନକୁ ବିକଶିତ କରିବା ପାଇଁ ଜଙ୍ଗଲକୁ ନଷ୍ଟ ନ କରି ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କ ଗମନାଗମନ ପାଇଁ ‘ରୋପ-ୱେ’ ର ପ୍ରସ୍ତାବ ଦେଇ ରାଜ୍ୟସଭାରେ ବିଶଦ୍ ଭାବରେ ଆଲୋଚନା କରିଥିଲେ । ଯାହାଲାଗି ତାଙ୍କୁ ସାରା ଜିଲ୍ଲାରୁ ବହୁ ପ୍ରସଂଶା ମିଳିଛି । ଶ୍ରୀମତୀ ହେମ୍ବ୍ରମ୍ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ଚୈତନ୍ୟ ପ୍ରସାଦ ମାଝୀଙ୍କର ସୁକନ୍ୟା ହୋଇଥିଲେ ବି ରାଜ୍ୟ ରାଜନୀତିରେ ତାଙ୍କ ବହୁମୁଖୀ ପ୍ରତିଭା ଓ ଲୋକପ୍ରିୟତା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଜଣେ ଆଦିବାସୀ ଭାବେ ନିଜ ଭାଷାକୁ ରାଜ୍ୟରେ ଉଠାଇ ସେ ନିଜ ଭାଷା ଓ ନିଜ ଅଞ୍ଛଳ ଓ ଆଦିବାସୀଙ୍କ ସମ୍ମାନ ବଢାଇଛନ୍ତି ବୋଲି ଏବେ ସାରା ମୟୁରଭଞ୍ଜରେ ଚର୍ଚ୍ଚା ଚାଲିଛି । ଆସନ୍ତା ୨୦୨୦ ମସିହାର ପ୍ରଥମାର୍ଦ୍ଧରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ତାଙ୍କର ବହୁ ଉଲ୍ଲେଖନୀୟ ଜନହିତକର କାର୍ଯ୍ୟ ପାଇଁ ଲଗାତର ଭାବେ ୨ୟ ଥର ପାଇଁ ପୁଣି ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ସାରା ଜିଲ୍ଲାରେ ବର୍ତ୍ତମାନଠାରୁ ଜିଲ୍ଲାବାସୀ ଦାବି କଲେଣି ।