ଲାଲବାହିନୀର ବର୍ବରତା : ପ୍ରଜାକୋର୍ଟ ନାଁରେ ନୀରିହ ଆଦିବାସୀଙ୍କୁ ଗଛରେ ବାନ୍ଧି ମାଡ ମାରି କଲେ ଲହୁଲୁହାଣ

ଦାନ୍ତେୱାଡା : ପ୍ରଜାକୋର୍ଟରେ ଦଣ୍ଡ । ଛତିଶଗଡ ଦାନ୍ତେୱାଡା ଜଙ୍ଗଲରେ ଦେଖିବାକୁ ମିଳିଛି ଲାଲବାହିନୀର ବର୍ବରତା । ପ୍ରଜାକୋର୍ଟ ନାଁରେ ନୀରିହ ଆଦିବାସୀଙ୍କୁ ଗଛରେ ବାନ୍ଧି, ମାଡ ମାରି ଲହୁଲୁହାଣ କରିଦେଇଛନ୍ତି ମାଓ କ୍ୟାଡର । ଦୁର୍ଗମ ଇଲାକାରେ ସକ୍ରିୟ ଅଛନ୍ତି ମାଓବାଦୀ । ନିଜ ଉପସ୍ଥିତି ଜାହିର କରିବାକୁ ମାଓବାଦୀ ମାନେ ପ୍ରଜାକୋର୍ଟ ଚଳାଇଛନ୍ତି । ସ୍ଥାନୀୟ ଲୋକଙ୍କ ସମର୍ଥନ ହାସଲ କରିବା ଲାଗି ସେମାନଙ୍କୁ ଡରାଉଛନ୍ତି,  ଧମକାଉଛନ୍ତି । କେବଳ ସେତିକି ନୁହେଁ ଅତି ନିର୍ମମ ଭାବରେ ମହିଳା ଏବଂ ପୁରୁଷଙ୍କୁ ମରଣାନ୍ତକ ମାଡ ମଧ୍ୟ ମାରିଛନ୍ତି । ଫଳରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଅଗମ୍ୟ ଇଲାକାରେ ପୋଲିସ କି ପ୍ରଶାସନର ପାଦ ପଡୁନଥିବା ବେଳେ ଅବାଧରେ ନିଜର ସାମ୍ରାଜ୍ୟ ଚଳାଇଛନ୍ତି ମାଓବାଦୀ । ସ୍ଥାନୀୟ ଆଦିବାସୀ ଭୟରେ କାଳ କାଟୁଛନ୍ତି । ପୋଲିସ ଇନଫରମର୍ ଅଭିଯୋଗରେ ମାଓବାଦୀମାନେ ସେମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏହି ଭିଡିଓ ତାର ବଡ ଉଦାହରଣ । ଓଡିଶା-ଛତିଶଗଡ ସୀମାରେ ମାଓବାଦୀମାନେ ଦମନଳୀଳା ଚଳାଇଛନ୍ତି ।