୨ ଚକିଆ ଓ ୪ ଚକିଆ ଯାନ ଚଳାଚଳ ଉପରୁ ହଟିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ ଗାଡି ଚଳାଚଳ ଉପରୁ ହଟିଲା କଟକଣା । ଏଣିକି ଉଭୟ ୨ ଚକିଆ ଓ ୪ ଚକିଆ ଗାଡି ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ । ପୂର୍ବ ୩ଟି ପର୍ଯ୍ୟାୟ ଲକଡାଉନ ସମୟରେ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ଚତୁର୍ଥ ପର୍ଯ୍ୟାୟରେ କୋହଳ କରିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ । ତାଙ୍କ ଟ୍ୱିଟ ଅନୁସାରେ ସମସ୍ତ ସରକାରୀ, ଘରୋଇ ଓ ବ୍ୟବସାୟିକ ଗାଡି ଚଳାଚଳ ଉପରେ ଥିବା କଟକଣାକୁ ରାଜ୍ୟରେ ଉଠାଇ ଦିଆଯାଇଛି । ଏଥିସହ ସେ ସାମାଜିକ ଦୂରତା ରଖି ଏବଂ ଟ୍ରାଫିକ ନିୟମ ମାନି ସୁରକ୍ଷିତ ଭାବେ ଗାଡି ଚଳାଇବାକୁ ପରାମର୍ଶ ଦେଇଛନ୍ତି । ତେବେ ରାଜ୍ୟ ବାହାରକୁ ଗାଡିରେ ଯାତାୟତ କରିବା ଉପରେ ପୂର୍ବପରି କଟକଣା ରହିଥିବା ସେ ସ୍ପଷ୍ଟ କରିଛନ୍ତି । ଅର୍ଥାତ ଆନ୍ତଃରାଜ୍ୟ ଗାଡି ଚଳାଚଳକୁ ଅନୁମତି ଦିଆଯାଇ ନାହିଁ ।


ସେପଟେ ସରକାରୀ କାର୍ଯ୍ୟାଳୟକୁ ଯିବେ ସମସ୍ତ କର୍ମଚାରୀ । ସରକାରୀ ଅଫିସକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଏବେ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ କର୍ମଚାରୀ ଅଫିସ ଯିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଚିଠିରେ କୁହାଯାଇଛି ମେ ୧୯ ଅର୍ଥାତ ଆଜିଠାରୁ ସମସ୍ତ କର୍ମଚାରୀ ଅଫିସ ଯିବେ । ତେବେ କର୍ମଚାରୀମାନେ ଅଫିସରେ ଯେଭଳି ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ଯତ୍ନବାନ ହେବାକୁ କୁହାଯାଇଛି । ସମସ୍ତ ବିଭାଗ ପାଇଁ କିଛି ନିୟମ ମଧ୍ୟ ଜାରି କରାଯାଇଛି । ଯଦି କେହି କର୍ମଚାରୀଙ୍କର ଥଣ୍ଡା ଜନିତ ସମସ୍ୟା କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ଥାଏ ତେବେ ସେ ଅଫିସ ନଆସି ଛୁଟିରେ ରହିବେ । ସେହିପରି କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳରୁ କେହି କର୍ମଚାରୀ ଅଫିସ ଆସିପାରିବେ ନାହିଁ । ଅଫିସର ସର୍ବୋଚ୍ଚ ଅଧିକାରୀ କାର୍ଯ୍ୟାଳୟ ଭିତରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବେ ।