ପୁଅ ପାଇଁ ୧୪ଶହ କିଲୋମିଟର ସ୍କୁଟି ଚଳାଇଲେ ମା’

ହାଇଦ୍ରାବାଦ: ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି ଲକ୍‌ଡାଉନ୍। ଦେଶରେ କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ବିଭିନ୍ନ ରାଜ୍ୟ ଏହି ଲକ୍‌ଡାଉନକୁ ଆଉ ଦୁଇ ସପ୍ତାହ ଅଧିକ ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି। ଏହାରି ଭିତରେ ଜଣେ ମା’ ତଥା ଶିକ୍ଷୟତ୍ରୀ ୧୪୦୦ କିଲୋମିଟର ସ୍କୁଟି ଚଲାଇ ଦୂରରେ ଥିବା ପୁଅକୁ ନିଜ ପାଖକୁ ଆଣିଛନ୍ତି। ମାର୍ଚ୍ଚ ୨୪ ତାରିଖ ଦିନ ହଠାତ୍ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍ ନେଇ ଘୋଷଣା କରିବା ପରେ ଅନେକ ଲୋକ ଘର ପହଂଚିନପାରି ରହିଯାଇଥିଲେ।

ତେଲେଙ୍ଗାନା ନିଜାମାବାଦର ରଜିଆ ବେଗମ ସ୍କୁଟି ଚଳାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ନେଲୋର ସହରରେ ଥିବା ପୁଅକୁ ସ୍କୁଟିରେ ବସାଇ ଆଣିଛନ୍ତି। ପୁଅକୁ ଆଣିବା ପାଇଁ ଯିବା ପୂର୍ବରୁ କିନ୍ତୁ ଶିକ୍ଷୟତ୍ରୀ ଜଣଙ୍କ ସ୍ଥାନୀୟ ପୋଲିସ ଷ୍ଟେସନରୁ ଏକ ଅନୁମତି ପତ୍ର ନେଇଥିଲେ। ନିଜ ଘରଠୁ ୭୦୦ କିଲୋମିଟର ଦୂରରେ ଥିବା ନେଲୋର ସହରକୁ ଯିବା ବେଳେ ତାଙ୍କୁ ଅନେକ ଚେକିଂର ସାମ୍ନା କରିବାକୁ ପଡ଼ିଥିଲା। ପୁଅକୁ ଘରକୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି ରଜିଆ।

ରଜିଆଙ୍କ ପୁଅ ନିଜାମୁଦ୍ଦିନ ଯୁକ୍ତ ୨ର ଛାତ୍ର। ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ହାଇଦ୍ରାବାଦର ଏକ କୋଚିଂ ସେଂଟରରେ ସେ ପାଠ ପଢ଼ନ୍ତି। ନିଜାମୁଦ୍ଦିନଙ୍କ ସାଙ୍ଗଙ୍କ ବାପା ଅସୁସ୍ଥ ଥିଲେ। ତାଙ୍କୁ ଦେଖିବା ପାଇଁ ସେ ଆନ୍ଧ୍ରପ୍ରଦେଶର ନଲୋର ଯାଇଥିଲେ। ହେଲେ ଲକଡାଉନ୍ ପାଇଁ ସେ ଆଉ ଘରକୁ ଫେରିପାରିନଥିଲେ। ପୁଅ ଘରକୁ ଫେରିବାର କୌଣସି ବ୍ୟବସ୍ଥା ନଥିବା ଦେଖିବା ପରେ ରଜିଆ ବୋଧନ ଏସପି ଜୟପାଲ ରେଡ୍ଡୀଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।

ପୋଲିସ ତାଙ୍କୁ ଅନୁମତି ପତ୍ର ଦେବା ପରେ ସେ ଏପ୍ରିଲ ୭ ତାରିଖରେ ନଲୋର ଯାଇଥିଲେ। ଏପ୍ରିଲ ୮ରେ ସେ ତାଙ୍କ ପୁଅ ସହିତ ଘରେ ପହଂଚିଥିଲେ। ମୋଟ୍ ୧୪୦୦ କିଲୋମିଟର ରାସ୍ତା ଯାତ୍ରା କରିବା ବେଳେ ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା। ହେଲେ ପୁଅକୁ ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ତେଣୁ ତାଙ୍କୁ ଭୟ ଲାଗିନଥିଲା ବୋଲି ରଜିଆ କହିଛନ୍ତି।