ପାରୋଲରେ ଆସିବେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପାରୋଲରେ ଆସିପାରନ୍ତି । କାରଣ ଗତକାଲି ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀଙ୍କ ଦେହାନ୍ତ ହୋଇଛି । ତେବେ ସେ ବହୁଦିନ ହେବ ଅସୁସ୍ଥ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ପୁଅ ପୁଞ୍ଜିଲାଲ ଜେଲରୁ ଆସି ମା’ଙ୍କର ଅନ୍ତିମ ସଂସ୍କାର କରିବେ ବୋଲି ଜଣାଯାଇଛି। ଏଥିଲାଗି ଆଜି ପୁଞ୍ଜିଲାଲ ମେହେରଙ୍କ ଓକିଲ ପାଟଣାଗଡ଼ ଏଡିଜେ କୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି। ପାରୋଲ ପାଇଁ ଆବେଦନ କରାଯିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ଜେଲରେ ଅଛନ୍ତି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଂଚିଥିଲା  ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଆଉ ପୁଞ୍ଜିଲାଲ ଥିଲେ ଏହାର ମାଷ୍ଟର ମାଇଣ୍ଡ ।
କିଛି ଦିନ ପୂର୍ବରୁ ଖବର ଆସିଥିଲା ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍ ହୋଇଯିବା ନେଇ ଯୋଜନା କରିଥିଲେ ପୁଞ୍ଜିଲାଲ। ତେବେ ଫାଟକ ଜଗିଥିବା ୱାର୍ଡର୍ ସାଇରନ୍ ବଜାଇ ଦେବାରୁ ପୁଞ୍ଜିଲାଲଙ୍କର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କ୍ରାଇମବ୍ରାଂଚ ୬୫ପୃଷ୍ଠାର ଫାଇନାଲ ଚାର୍ଜସିଟ ଏସଡିଜେଏମ କୋର୍ଟରେ ଦାଖଲ କରିଥିଲେ। କ୍ରାଇମବ୍ରାଂଚ ୭୬ ଜଣ ସାକ୍ଷ୍ୟକୁ ନେଇ ଏହି ଚାର୍ଜସିଟ ଦାଖଲ କରିଥିଲେ। ପୂର୍ବରୁ କ୍ରାଇମବ୍ରାଂଚ ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ।