କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୨୧୨୦ରେ ପହଂଚିଲା

ବେଜିଂ: ଚୀନରେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ସଂଖ୍ୟା ଏବେ ୨୧୨୦ରେ ପହଂଚିଲାଣି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ବୁଧବାର ରାଜ୍ୟରେ କରୋନା ଭାଇରସ ଯୋଗୁଁ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । ଆରମ୍ଭରୁ ଏଯାଏଁ ରାଜ୍ୟରେ କରୋନା ଭାଇରସରେ ୨ ହଜାର ୨୯ ଜଣଙ୍କ ମୃତ୍ୟୁ ହୋଇଛି । ଚୀନରେ ମୋଟ ୨ ହଜାର ୧୧୨ ଜଣଙ୍କ ମୃତ୍ୟୁ ହୋଇଛି ।  

ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୨ ହଜାର ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଚୀନରେ ମୃତକଙ୍କ ସଂଖ୍ୟା ହେଉଛି ୨ ହଜାର ୧୧୨ । ଏଥିରୁ ଉହାନ ସହରରେ ସର୍ବାଧିକ ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ହଂଗକଂଗ ଓ ଇରାନରେ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ତାଇୱାନ, ଜାପାନ, ଫିଲିପାଇନ୍ସ ଏବଂ ଫ୍ରାନ୍ସରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି ।

ବିଶ୍ୱର ପ୍ରାୟ ୨୯ଟି ଦେଶ ସୁନିଶ୍ଚିତ କରିଛନ୍ତି ଯେ, ବର୍ତ୍ତମାନ ସମୟରେ ସେମାନେ ଚୀନ ସହିତ ବାଣିଜ୍ୟିକ ଓ ଅନ୍ୟାନ୍ୟ ଯାତ୍ରା ସଂପର୍କ ରଖିବେ ନାହିଁ । ଚୀନରେ କରୋନା ଭାଇରସର ପ୍ରଭାବ ଜାରି  ରହିଛି । ମାତ୍ର ଭାଇରସ ଯୋଗୁଁ ଚୀନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତୀୟ ବାୟୁସେନା ତତ୍ପରତା ଦେଖାଇଛି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ଚୀନର ଉହାନ ଅଭିମୁଖେ ଯିବ ।