ପୁଣି ସୁସ୍ଥ ହେଲେ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୯ଟି ଜିଲ୍ଲାରୁ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୯୭୭ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଜଗତ୍‌ସିଂହପୁର ଜିଲ୍ଲାରୁ ସର୍ବାଧିକ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରୁ ୨୨ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ଗଂଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୨-୨ ଜଣ ଓ ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ୨୯ଟି ଜିଲ୍ଲାରୁ ଏପର୍ଯ୍ୟନ୍ତ ୧୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଛି ।