ରାୟଗଡ଼ାରେ ପୁଣି ୪ କରୋନା ପଜିଟିଭ ଚିହ୍ନଟ

ଏଥିରେ ଅଛନ୍ତି ଜଣେ ସ୍ୱାସ୍ଥ୍ୟକର୍ମୀ

ରାୟଗଡ଼ା: ରାୟଗଡ଼ାରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି। ସୂଚନା ଅନୁସାରେ ଆଜି ନୂଆଁ ଚିହ୍ନଟ ୪ ଜଣ କରେନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଚତୁର୍ଥ ବ୍ୟକ୍ତି ଜଣକ ଜିଲ୍ଲା ଔଷଧ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ଅନେକ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଔଷଧ ନିରୀକ୍ଷକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

ନୂଆଁ ଚିହ୍ନଟ ୪ ଜଣ କରୋନା ପଜିଟିଭ ବ୍ୟକ୍ତିଙ୍କୁ କୋଭିଡ-୧୯ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏଥି ସହିତ ରାୟଗଡ଼ାରେ ୩ଟି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏଠାରେ ରହୁଥିବା ଲୋକଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ନୋଡାଲ୍‌ ଅଧିକାରୀ ନିଯୁକ୍ତ କରାଯାଇଛି। ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏଠାରେ କଣ୍ଟେନମେଣ୍ଟ ଜୋନ୍‌ କଟକଣା ଲାଗୁ ରହିବ।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ଗତ ୨ ତାରିଖରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଏହାର ଦିନକ ପରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭ ତାରିଖରେ ଜଣେ ବ୍ୟକ୍ତି ସଂକ୍ରମଣର ଶିକାର ହୋଇଥିଲେ। ଆଜି ପୁଣି ୪ ଜଣ ଲୋକ କରୋନ ପଜିଟିଭ ଚିହ୍ନଟ ହେବା ପରେ ସଂଖ୍ୟା ୭ରେ ପହଞ୍ଚିଛି। ଜିଲ୍ଲାକୁ ଏବେ ବାହାର ରାଜ୍ୟରୁ ପ୍ରବାସୀମାନଙ୍କର ଆଗମନ ହେଉଥିବାରୁ ଆଗାମୀ ଦିନରେ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।