ଆଜି ପୁଣି ୧୭୪ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଉ ୧୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୧୭୪ଜଣଙ୍କ ମଧ୍ୟରୁ ୧୪୬ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।ଅନ୍ୟ ୨୮ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଷଲାକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସ୍ଥାନୀୟ ସଂକ୍ରମଣ ହେଉଥିବାର ପ୍ରଶାସନର ଚିନ୍ତା ବଢ଼ିଯାଇଛି ।

ସୂଚନାଯୋଗ୍ୟ, ଆଜି ୧୮ଟି ଜିଲ୍ଲାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରେ ୩୪ଜଣ, ପୁରୀରୁ ୧୬, ଖୋର୍ଦ୍ଧାରେ ୧୦, ଯାଜପୁର ୯. ନବରଙ୍ଗପୁର ଓ କେନ୍ଦ୍ରାପଡ଼ାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଓ କଳାହାଣ୍ଡିରୁ ୬ଜଣ, କେନ୍ଦୁଝରରୁ ୫ଜଣ, କନ୍ଧମାଳ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୪, ବୌଦ୍ଧରୁ ୨, ମାଲକାନଗିରି, ନୂଆପଡ଼ା ଓ ବଲାଙ୍ଗୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୧ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୦୪୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୪୫୧ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।